ଟେଲିକମ୍‌ କ୍ଷେତ୍ରରେ ବଡ଼ ସଂସ୍କାର, ନୂଆ ସିମ୍‌ ପାଇଁ ଆଉ ଦେବାକୁ ପଡ଼ିବନି ଡକ୍ୟୁମେଣ୍ଟର କପି

ଟେଲିକମ୍‌ କମ୍ପାନୀଙ୍କୁ ବଡ଼ ଆଶ୍ୱସ୍ତି । ଟେଲିକମ୍‌ ସେକ୍ଟରରେ ରିଫର୍ମକୁ ନେଇ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ମୁତାବକ ସ୍ପେକ୍ଟ୍ରମ୍‌ ଦେୟ ଉପରେ ୪ ବର୍ଷର ମୋରାଟୋରିଅମ୍‌ ମିଳିବ। ପୂର୍ବରୁ ସ୍ପେକ୍ଟ୍ରମ୍‌ ଦେୟ ନେଇ ଟେଲିକମ୍‌ କମ୍ପାନୀଗୁଡ଼ିକ ଚାପରେ ଥିଲେ। ଏହି ନିଷ୍ପତ୍ତି ଆସିବା ପରେ ଟେଲିକମ୍‌ କମ୍ପାନୀ ଆଶ୍ୱସ୍ତ ହୋଇଛନ୍ତି। କେନ୍ଦ୍ର କ୍ୟାବିନେଟ୍‌ରେ ଏହି ନିଷ୍ପତ୍ତି ହୋଇଥିବା ନେଇ ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

ଟେଲିକମ୍‌ କ୍ଷେତ୍ରରେ ୯ଟି ସଂସ୍କାରକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ଟେଲିକମ୍‌ କ୍ଷେତ୍ରରେ ୧୦୦ ପ୍ରତିଶତ ଏଫ୍‌ଡିଆଇକୁ ଅନୁମୋଦନ ମିଳିଛି। ଏହା ୪୯ ପ୍ରତିଶତରେ ସୀମିତ ଥିଲା । ଅଧିକ ପୁଞ୍ଜି ନିବେଶ ଅର୍ଥ ଅଧିକ ନିଯୁକ୍ତି ବୋଲି କହିଛନ୍ତି ମନ୍ତ୍ରୀ। ସେହିପରି AGR ରୁ ଅଣଟେଲିକମ୍‌ ରାଜସ୍ୱକୁ କାଢ଼ି ନେବାକୁ ନିଷ୍ପତ୍ତି ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ସରକାରଙ୍କ ନିଷ୍ପତ୍ତି ମୁତାବକ, ଏବେ ନୂଆ ସିମ୍‌ କିମ୍ବା କନେକ୍ସନ୍‌ ନେବା ବେଳେ କୌଣସି ଡକ୍ୟୁମେଣ୍ଟର କପି ଦେବା ଆବଶ୍ୟକତା ନାହିଁ। ପୂର୍ବରୁ ଏଥିପାଇଁ ଡକ୍ୟୁମେଣ୍ଟର ଜେରକ୍ସ କପି ଦେବାକୁ ପଡ଼ୁଥିଲା। ଏବେ ସବୁ କାମ ପାଇଁ ଆଧାର ନମ୍ବର ହିଁ ଯଥେଷ୍ଟ। ଏହା ସାହାଯ୍ୟରେ ଡିଜିଟାଲ ଉପାୟରେ କେଓ୍ଵାଇସି ହେବ। ଟେଲିକମ୍‌ ସେକ୍ଟରରେ କେଓ୍ଵାଇସି ଏବେ ସମ୍ପୂର୍ଣ୍ଣ ଅନ୍‌ଲାଇନ୍‌ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.