ଓ୍ଵାନ୍ ନେସନ୍ ଓ୍ଵାନ୍ ଭୋଟ୍କୁ ନେଇ ପୁଣି ତର୍କ ବିତର୍କ, ୧୯ରେ ରାଜନୈତିକ ଦଳ ମୁଖ୍ୟଙ୍କ ସହ ଆଲୋଚନା କରିବେ ପିଏମ୍
ଗୋଟିଏ ଦେଶ, ଗୋଟିଏ ନିର୍ବାଚନ । ଦ୍ୱିତୀୟ ଇନିଂସ ଆରମ୍ଭରୁ ମୋଦି ସରକାର ପୁଣି ଏହି ପ୍ରସଙ୍ଗ ଉଠାଇଛନ୍ତି । ଆସନ୍ତା ୧୯ ତାରିଖରେ ସବୁ ଦଳର ମୁଖିଆଙ୍କ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ସମେତ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ଦେଖିବାକୁ ଗଲେ ପ୍ରତିବର୍ଷ କେଉଁ ନା କେଉଁ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେଉଛି। ଏଥିଯୋଗୁଁ ଅନେକ ସମୟରେ ବିକାଶ ଆଗକୁ ବଢିପାରୁ ନାହିଁ। କୋଟି କୋଟି ଟଙ୍କା ଖର୍ଚ୍ଚ ବି ହେଉଛି । ଏହାକୁ ଦୃଷ୍ଟିରେ ରଖି ୱାନ ନେସନ, ୱାନ ଇଲେକ୍ସନ ଉପରେ ମୋଦି ସରକାର ଗୁରୁତ୍ୱ ଦେଉଛନ୍ତି ।
ଅନ୍ୟପଟେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ସପକ୍ଷରେ ବିଜେଡି। ଗତ ୨୦୦୪ ମସିହାରୁ ଓଡ଼ିଶାରେ ଏକାସାଙ୍ଗରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ହୋଇଆସୁଛି। ତେଣୁ ବିଜେଡି ସବୁବେଳେ ଏକାସାଙ୍ଗରେ ନିର୍ବାଚନକୁ ସମର୍ଥନ ଦେଇଆସିଛି। କଂଗ୍ରେସ କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରିନି। କହିଛି, ସାରା ଦେଶରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏକାଠି ହେଲେ ଅନେକ ସମସ୍ୟା ଉପୁଜିବ ।
ଏବେ ଏକକାଳୀନ ବିଧାନସଭା ଓ ଲୋକସଭା ନିର୍ବାଚନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଡାକିଥିବା ସବୁ ଦଳର ମୁଖ୍ୟଙ୍କ ବୈଠକ ଉପରେ ନଜର ରହିଛି ।