ଦୀପାବଳି ପୂର୍ବରୁ ମୋଦି ସରକାରଙ୍କ ବଡ଼ ଉପହାର, ପ୍ରତି ମାସରେ ଏବେ ଶ୍ରମିକ ପାଇବେ ୨୬,୦୦୦ ଟଙ୍କା

ଦୀପାବଳି ପୂର୍ବରୁ ବଡ଼ ଉପହାର ଦେଇ ଦେଶର ଶ୍ରମିକମାନଙ୍କୁ ଖୁସି କରିଛନ୍ତି କେନ୍ଦ୍ର ସରକାର । ସରକାର ଶ୍ରମିକମାନଙ୍କ ପାଇଁ ଭେରିଏବଲ୍ ମହଙ୍ଗା ଭତ୍ତା (VDA)ରେ ସଂଶୋଧନ କରିଛନ୍ତି । ସେମାନଙ୍କୁ ଦିଆଯାଉଥିବା ସର୍ବନିମ୍ନ ମଜୁରୀ ହାରକୁ ବଢ଼ାଇ ଦିନକୁ ୧,୦୩୫ ଟଙ୍କା କରିବାକୁ ଘୋଷଣା କରିଛନ୍ତି ମୋଦି ସରକାର ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଗୁରୁବାର ଏକ ବଡ଼ ଘୋଷଣା କରି ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ହାରକୁ ବୃଦ୍ଧି କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଶ୍ରମ ମନ୍ତ୍ରଣାଳୟ କହିଛି, ଜୀବନଧାରଣର ମୂଲ୍ୟ ବୃଦ୍ଧି ମଧ୍ୟରେ ଶ୍ରମିକମାନଙ୍କୁ ସାହାଯ୍ୟ କରିବା ଏହି ନିଷ୍ପତ୍ତିର ମୂଳ ଉଦ୍ଦେଶ୍ୟ ।

ଶ୍ରମ ଦରରେ ସଂଶୋଧନ ପରେ ନିର୍ମାଣ, ସଫେଇ, ଲୋଡିଂ ଏବଂ ଅନ୍‌ଲୋଡିଂ ଭଳି ଅଣକୁଶଳୀ ଶ୍ରମିକଙ୍କ ପାଇଁ ସେକ୍ଟର-ଏରେ ସର୍ବନିମ୍ନ ମଜୁରୀ ଦର ଦିନକୁ ୭୮୩ ଟଙ୍କାକୁ ବୃଦ୍ଧି କରାଯାଇଛି । ଫଳରେ ଏହି ଶ୍ରମିକମାନେ ପ୍ରତି ମାସରେ ଏବେ ୨୦,୩୫୮ ଟଙ୍କା ପାଇବେ । ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ ଦର ଦିନକୁ ୮୬୮ ଟଙ୍କା କରାଯାଇଛି ଏବଂ ସେମାନେ ପ୍ରତି ମାସରେ ୨୨,୫୬୮ ଟଙ୍କା ପାଇବେ ।

ସେହିପରି କୁଶଳୀ ଶ୍ରମିକଙ୍କ ମଜୁରୀ ଦିନକୁ ୯୫୪ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହି ଅନୁସାରେ ସେମାନଙ୍କ ମାସିକ ବେତନ ବର୍ତ୍ତମାନ ୨୪,୮୦୪ ଟଙ୍କା ହେବ । ଉଚ୍ଚ କୁଶଳୀ ଶ୍ରମିକମାନେ ପ୍ରତି ମାସରେ ୨୬,୯୧୦ ଟଙ୍କା ପାଇବେ । ସେମାନଙ୍କ ସର୍ବନିମ୍ନ ମଜୁରୀ ଦିନକୁ ୧୦୩୫ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଶ୍ରମିକମାନଙ୍କ ପାଇଁ ନୂଆ ଦର ୨୦୨୪ ଅକ୍ଟୋବର ୧ରୁ କାର୍ଯ୍ୟକାରୀ ହେବ ଏବଂ ଏପ୍ରିଲରୁ ସେମାନଙ୍କୁ ସୁବିଧା ପ୍ରଦାନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like