ଦୁର୍ନୀତି ଉପରେ ମୋଦି ସରକାରଙ୍କ ସର୍ଜିକାଲ୍ ଷ୍ଟ୍ରାଇକ୍ , ୧୨ ଆୟକର ଅଧିକାରୀଙ୍କୁ କଲେ ବିଦା

ଦୁର୍ନୀତି ଉପରେ ମୋଦି ସରକାରଙ୍କ ସର୍ଜିକାଲ୍ ଷ୍ଟ୍ରାଇକ୍ । ନା ଖାଉଙ୍ଗା ନା ଖାନେଦୁଙ୍ଗା ପ୍ରତିଶ୍ରୁତିକୁ ପୁରା କଲେ ମୋଦି ସରକାର । ଭ୍ରଷ୍ଟାଚାର ପାଇଁ ଆୟକର ବିଭାଗର ୧୨ ବରିଷ୍ଠ ଅଧିକାରୀଙ୍କର କରିଦେଇଛନ୍ତି ଛୁଟି । ସମୟ ପୂର୍ବରୁ ଏହି ଅଫିସରଙ୍କୁ ଅବସର ଦିଆଯାଇଛି । ଏହି ୧୨ ଅଫିସରଙ୍କ ନାଁ ହେଉଛି ଅଶୋକ ଅଗ୍ରଓ୍ଵାଲ, ଏସକେ ଶ୍ରୀବାସ୍ତବ, ହୋମୀ ରାଜବଂଶ, ବିବି ରାଜେନ୍ଦ୍ର ପ୍ରସାଦ, ଅଜୟ କୁମାର ସିଂହ, ବି ଅରୁଲପ୍ପା, ଆଲୋକ କୁମାର ମିଶ୍ରା, ଚାନ୍ଦର ସେନ୍ ଭାରତୀ, ଅଣ୍ଡାୟୁ ରବିନ୍ଦ୍ର, ବିବେକ ମିଶ୍ରା, ଖେତାଭ ସୁମନ ଏବଂ ରାମ କୁମାର ଭାର୍ଗବ ।
ଏହି ଅଫିସରଙ୍କ ମଧ୍ୟରେ ଚିଫ୍ କମିଶନର, ପ୍ରିନ୍ସିପାଲ୍ କମିଶନର ଏବଂ କମିଶନର ପାହ୍ୟାର ଅଧିକାରୀ ଅଛନ୍ତି । ଏମାନଙ୍କ ବିରୋଧରେ ଭ୍ରଷ୍ଟାଚାର, ଅବୈଧ ସମ୍ପତ୍ତି, ବେଆଇନ୍ ଭାବେ ଅର୍ଥ ଉପାର୍ଜନ ଏବଂ ମହିଳା ଅଫିସରଙ୍କୁ ଯୌନ ଶୋଷଣ କରିବା ଭଳି ସଙ୍ଗୀନ ଅଭିଯୋଗ ରହିଛି ।
ଏହି ଅଫିସରଙ୍କ ମଧ୍ୟରୁ ଜଣେ ଆଇଆରଏସ ଅଫିସରଙ୍କ ବିରୋଧରେ ନିଜ ପରିବାରର ସଦସ୍ୟଙ୍କ ନାମରେ ବେଆଇନ ଭାବେ ୩.୧୭ କୋଟି ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସଂପତ୍ତି ଅର୍ଜନ କରିଥିବାର ଆରୋପ ଲାଗିଥିଲା। ଉକ୍ତ ଅଫିସର ନିଜର ସରକାରୀ ପଦର ଦୁରୁପଯୋଗ, ଭ୍ରଷ୍ଟାଚାର ଓ ବେଆଇନ ଭାବେ ଏହି ଅର୍ଥ ଉପାର୍ଜନ କରିଥିଲେ । ସେହିପରି ଏଥିରେ ଆୟକର ବିଭାଗର ଜଣେ କମିଶନର ମଧ୍ୟ ସାମିଲ। ଯାହାଙ୍କ ବିରୋଧରେ ସିବିଆଇର ଭ୍ରଷ୍ଟାଚାର ନିରୋଧକ ଶାଖା ଆୟରୁ ଅଧିକ ସଂପତ୍ତି ଠୁଳ କରିବାର କେସ୍ ରୁଜୁ କରିଥିଲା। ତାଙ୍କୁ ୨୦୦୯ ଅକ୍ଟୋବରରୁ ଚାକିରିରୁ ନିଲମ୍ବିତ କରାଯାଇଥିଲା।