ଇରାନର କାମଚଳା ରାଷ୍ଟ୍ରପତି ହେଲେ ଉପରାଷ୍ଟ୍ରପତି ମହମ୍ମଦ ମୁଖବେର, ୫୦ ଦିନ ପାଇଁ ସମ୍ଭାଳିବେ ଦାୟିତ୍ୱ
ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ପରେ ଉପରାଷ୍ଟ୍ରପତି ମହମ୍ମଦ ମୁଖବେର କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଇରାନର ସର୍ବୋଚ୍ଚ ଆଧ୍ୟାତ୍ମିକ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇ ଉପରାଷ୍ଟ୍ରପତି ମହମ୍ମଦ ମୁଖବେରଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ନିଯୁକ୍ତି ଦେଇଛନ୍ତି । ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ମୁଖବେର ମାତ୍ର ୫୦ ଦିନ ପାଇଁ ଇରାନର ରାଷ୍ଟ୍ରପତି ଦାୟିତ୍ୱ ତୁଲାଇବେ ।

ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ପରେ ଉପରାଷ୍ଟ୍ରପତି ମହମ୍ମଦ ମୁଖବେର କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଇରାନର ସର୍ବୋଚ୍ଚ ଆଧ୍ୟାତ୍ମିକ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇ ଉପରାଷ୍ଟ୍ରପତି ମହମ୍ମଦ ମୁଖବେରଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ନିଯୁକ୍ତି ଦେଇଛନ୍ତି । ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇବେ । ଖାମେନେଇ ରାଷ୍ଟ୍ରପତିଙ୍କ ମୃତ୍ୟୁରେ ଶୋକ ସନ୍ଦେଶ ଜାରି କରିବା ସମୟରେ ଏହି ଘୋଷଣା କରିଛନ୍ତି ।
ରବିବାର ଇରାନ୍ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ଇରାନରେ ୫ ଦିନିଆ ଶୋକ ଘୋଷଣା ହୋଇଛି । ଇରାନ ସମ୍ବିଧାନ ମୁତାବକ, ରାଷ୍ଟ୍ରପତିଙ୍କ ମୃତ୍ୟୁ ହେବା ପରିସ୍ଥିତିରେ ୫୦ ଦିନ ଭିତରେ ନିର୍ବାଚନ ହେବ । ତେଣୁ ଏହି ସମୟ ପର୍ଯ୍ୟନ୍ତ କାର୍ଯ୍ୟବାହୀ ରାଷ୍ଟ୍ରପତି ନିଯୁକ୍ତ ହୋଇଛନ୍ତି । ତେଣୁ ମୁଖବେର ମାତ୍ର ୫୦ ଦିନ ପାଇଁ ଇରାନର ରାଷ୍ଟ୍ରପତି ଦାୟିତ୍ୱ ତୁଲାଇବେ ।
୨୦୨୧ରେ ଇବ୍ରାହିମ ରଇସି ରାଷ୍ଟ୍ରପତି ପଦ ସମ୍ଭାଳିଥିଲେ । ସେତେବେଳେ ମହମ୍ମଦ ମୁଖବେରଙ୍କୁ ନିଜର ପ୍ରଥମ ଉପରାଷ୍ଟ୍ରପତି ବୋଲି ଘୋଷଣା କରିଥିଲେ । ମହମ୍ମଦ ମୁଖବେର ଖାନମୋଇଙ୍କ ଆଦେଶରେ ତାଙ୍କ ନିର୍ମିତ ଫାଉଣ୍ଡେସନର ନେତୃତ୍ୱ ନେଇଥିଲେ । ଇବ୍ରାହିମ ରଇସିଙ୍କ ପରେ ଦେଶର ସବୁଠାରୁ ପ୍ରଭାବଶାଳୀ ନେତା ହେଉଛନ୍ତି ମୁଖବେର । ମହମ୍ମଦ ମୁଖବେର ଅଗଷ୍ଟ ୨୦୨୧ରୁ ଇରାନର ୭ମ ଏବଂ ବର୍ତ୍ତମାନର ପ୍ରଥମ ଉପରାଷ୍ଟ୍ରପତି । ଏହାଛଡା ସେ ଏକ୍ସପେଡିଏନ୍ସି ଡିସ୍କର୍ନମେଣ୍ଟ କାଉନସିଲର ସଦସ୍ୟ ।
ସୂଚନାଯୋଗ୍ୟ, ରବିବାର ହେଲିକପ୍ଟର ଆଜେରବୈଜାନରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏଥିରେ ରାଷ୍ଟ୍ରପତି ଇବ୍ରାହିମ ରଇସି ଏବଂ ତାଙ୍କ ବୈଦେଶିକ ମନ୍ତ୍ରୀ ହୋସେନ୍ ଅମିରାବଡୋଲହିଆନଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କ ସହିତ ଥିବା ଅନ୍ୟ ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ରାଜଧାନୀ ତେହେରାନଠାରୁ ପ୍ରାୟ ୬୦୦ କିଲୋମିଟର ଉତ୍ତର ଆଜେରବୈଜାନ ଦେଶ ସୀମାରେ ଥିବା ସହର ଜୋଲଫା ନିକଟରେ ଏହି ଦୁର୍ଘଟଣା ଘଟିଥିଲା ।
ଆଜେରବୈଜାନର ପାହାଡ ଏବଂ ଘନ ଅଞ୍ଚଳରେ ହେଲିକପ୍ଟର ରବିବାର ଦିନ ଦୁର୍ଘଟଣାର ଶିକାର ହୋଇଥିଲା । ଖରାପ ପାଗ ଯୋଗୁଁ ହେଲିକପ୍ଟରଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉକ୍ତ ଅଂଚଳରେ ଘନ କୁହୁଡ଼ି ଥିଲା ବୋଲି ଜଣାପଡ଼ିଛି । ଇରାନ ସରକାରଙ୍କୁ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି ।