ବ୍ଲାକ ଫଙ୍ଗସ ରୋଗୀଙ୍କୁ ଅସଦାଚରଣ ଅଭିଯୋଗ, ସ୍ମୃତି ଇରାନୀଙ୍କୁ ଅଭିଯୋଗ କଲା ପୀଡ଼ିତାଙ୍କ ଝିଅ

କରୋନା ଓ ବ୍ଲାକ ଫଙ୍ଗସ ସଂକ୍ରମଣର ଶିକାର ହୋଇଥିବା ଜଣେ ମହିଳାଙ୍କ ସହ ମେଡିକାଲ କର୍ତ୍ତୃପକ୍ଷ ଦୁର୍ବ୍ୟବହାର ଓ ମାରପିଟ କରିଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ଲକ୍ଷ୍ନୌରୁ। ଏଠାକାର ଲୋହିୟା ସଂସ୍ଥାନରେ ଡାକ୍ତର ଓ କର୍ମଚାରୀମାନେ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ତାଙ୍କ କୁନି ଝିଅ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଅଭିଯୋଗ କରିଛି।

ରିପୋର୍ଟ ମୁତାବକ, ଶନିବାର ଦିନ ଅକ୍ସିଜେନ ପ୍ଲାଣ୍ଟର ଶୁଭାରମ୍ଭ କରିବା ନିମନ୍ତେ ଆସିଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ପୀଡ଼ିତାଙ୍କ ପରିଜନ ସାକ୍ଷାତ କରିଥିଲେ। ମହିଳାଙ୍କ ଝିଅ କାନ୍ଦି କାନ୍ଦି ସ୍ମୃତିଙ୍କୁ ଅଭିଯୋଗ କରିଥିଲେ। ପରେ ସ୍ମୃତି ଏହି ମାମଲାର ତୁରନ୍ତ ତଦନ୍ତ ପାଇଁ ଡିଏମ, ଏସପି ଓ ସିଏମଓଙ୍କ ସହ କଥା ବାର୍ତ୍ତା କରିଛନ୍ତି।

ଏନେଇ ଲୋହିୟା ସଂସ୍ଥାନର ମୁଖ୍ୟ ଡା. ଶ୍ରୀକେଶ ସିଂହ କହିଛନ୍ତି, ମହିଳାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ କରୋନା ହେବା ସହ ବ୍ଲାକ ଫଙ୍ଗସ ଲକ୍ଷଣ ମଧ୍ୟ ଥିଲା। ମାତ୍ର ପରିବାର ଲୋକ ଚିକିତ୍ସା କରିବା ପରିବର୍ତ୍ତେ ମନ ଇଚ୍ଛା ତାଙ୍କୁ ଡିସଚାର୍ଜ କରି ନେଇଯାଇଥିଲେ।

କିନ୍ତୁ ପରିବାର ଲୋକେ କହିଛନ୍ତି ଯେ ମେଡିକାଲର ଅଧିକାରୀ ଓ ଡାକ୍ତର ମହିଳାଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ସହ ଖରାପ କାମ କରିବାକୁ ଚେଷ୍ଟା କରିଥିଲେ। ଏଣୁ ସେମାନେ ମହିଳାଙ୍କୁ ବାଧ୍ୟ ହୋଇ ସେଠାରୁ ନେଇ ଆସିଥିଲେ। ତେବେ ମାମଲାର ତଦନ୍ତ ପରେ ସତ ଜଣାପଡ଼ିବ ବୋଲି ପୋଲିସ ଅଧିକାରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.