ପିଲାକୁ ଅଫିସ୍ ଡେସ୍କରେ ଶୁଆଇ କାମ କରୁଥିଲେ ମହିଳା କନେଷ୍ଟବଳ, ଫଟୋ ଭାଇରାଲ ହେଲା ପରେ କଣ ହେଲା ?

ଲକ୍ଷ୍ନୌ : ଇତିହାସରେ ଆମେ ଝାନସୀ ରାଣୀଙ୍କ ନାଁ ଶୁଣିଛନ୍ତି । ବ୍ରିଟିଶ ବାହିନୀ ସହ ଲଢ଼ିଥିଲେ ସେ । ତେଣୁ ତାଙ୍କ ନାଁ ଶୁଣିଲେ ମହିଳମାନଙ୍କ ଭିତରେ ଏକ ଆବେଗ ଓ ସାହସ ଆସିଯାଏ । ସେହି ଝାନସୀ ଅଞ୍ଚଳର ଏକ ଘଟଣା ଏବେ ଗଣମାଧ୍ୟମ ଜରିଆରେ ଚର୍ଚ୍ଚାକୁ ଆସିଛି । ଝାନସୀ ଥାନାରେ ଜଣେ ମହିଳା ପୋଲିସ୍ କର୍ମଚାରୀ ନିଜ ପିଲାଟିକୁ ଡେସ୍କ ଉପରେ ଶୁଆଇ ଦେଇ କାମ କରୁଥିବାର ଫଟୋ ଭାଇରାଲ ହେବା ପରେ ସବୁ ମହଲରୁ ତାଙ୍କୁ ପ୍ରଶଂସା ମିଳିଛି । ଏହି ମହିଳା କନେଷ୍ଟବଳଙ୍କ ନାଁ ହେଉଛି ଅର୍ଚ୍ଚନା ଜୟନ୍ତ। ଡ୍ୟୁଟି ପ୍ରତି ତାଙ୍କର ନିଷ୍ଠା ଦେଖି ତାଙ୍କୁ ପୋଲିସ୍ ଡିଜି ମଧ୍ୟ ଟୁଇଟ୍ କରି ତାଙ୍କୁ ପ୍ରଶଂସା କରିଛନ୍ତି । ତା ସହିତ ନିଜ ଘର ନିକଟକୁ ତାଙ୍କର ବଦଳି ଆଦେଶ ମଧ୍ୟ ଦେଇଛନ୍ତି ।
ଅର୍ଚ୍ଚନାଙ୍କ ଘର ଆଗ୍ରାରେ । ତାଙ୍କ ସ୍ବାମୀ ଏକ ବେସକାରୀ ସଂସ୍ଥାରେ କାମ କରନ୍ତି । ଘରେ ଶାଶୁ ଓ ଶ୍ବଶୁର ତାଙ୍କ ବଡ଼ ଝିଅର ଦେଖାରେଖା କରନ୍ତି । ତେଣୁ ତାଙ୍କର ଏହି ୬ ମାସର ଏହି ଶିଶୁଟିକୁ ଜଗିବାକୁ କେହି ନାହିଁ । ସେଥିପାଇଁ ଅର୍ଚ୍ଚନା ସକାଳୁ ଘର କାମ ସାରି ପିଲାଟିକୁ କାଖରେ ଧରି ପହଞ୍ଚି ଯାନ୍ତି ଥାନାରେ । ଅବୋଧ ଶିଶୁଟିକୁ ଡେସ୍କ ଉପରେ ଶୁଆଇ ଦେଇ ନିଜ କାମରେ ଲାଗିଯାନ୍ତି । ଏଥିରେ ଅବଶ୍ୟ ତାଙ୍କୁ ଭାରି ଅସୁବିଧା ହୁଏ ବୋଲି ସେ କହନ୍ତି । ଏଭଳି କାମ କରୁଥିବା ବେଳେ କେହି ଜଣେ ଫଟୋ ଉଠାଇ ତାକୁ ଭାଇରାଲ କରି ଦେଇଥିଲେ । ଅର୍ଚ୍ଚନାଙ୍କ କାମ ପ୍ରତି ଏଭଳି ନିଷ୍ଠା ଏବଂ ତା ସହିତ ପରିବାର ପ୍ରତି କର୍ତ୍ତବ୍ୟବୋଧକୁ ଦେଖି ସମସ୍ତେ ପ୍ରଶଂସା ଓଜାଡ଼ି ଦେଲେ । ସ୍ଥାନୀୟ ଆଇଜି ତାଙ୍କୁ ୧ ହଜାର ଟଙ୍କା ପୁରସ୍କାର ଦେଇଥିବା ବେଳେ ଡିଜି ସବୁ ପୋଲିସ୍ ଲାଇନରେ ‘କ୍ରେଚ୍’ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଛନ୍ତି ।