ମାଡ଼ୁଛି ମଙ୍କିପକ୍ସ ଭାଇରସ୍, ଜରୁରୀ ବୈଠକ ଡକାଇଲା WHO! ସମଲିଙ୍ଗୀ ପୁରୁଷଙ୍କ ପାଇଁ ଅଧିକ ବିପଦ…

ମାଡୁଛି ମଙ୍କିପକ୍ସ ଭାଇରସ୍। କରୋନା ପରେ ନୂଆ ପ୍ରକାର ଭୂତାଣୁକୁ ନେଇ ସମସ୍ତଙ୍କ ମନରେ ଛନକା। ବିଭିନ୍ନ ରାଷ୍ଟ୍ରରେ ଆତଙ୍କ ସୃଷ୍ଟି କଲାଣି ମଙ୍କିପକ୍ସ ଭୂତାଣୁ। ଆଫ୍ରିକାରୁ ଆରମ୍ଭ ହୋଇଥିବା ଏହି ରୋଗ କୟାବିସ୍ତାର କରୁଛି। ବ୍ରିଟେନ୍ ଓ ଆମେରିକା ପରେ ଫ୍ରାନ୍ସ, ଇଟାଲୀ, ସ୍ୱିଡେନ୍, କାନାଡା, ଅଷ୍ଟ୍ରେଲିଆ, ସ୍ପେନ୍ ଓ ପର୍ତ୍ତୁଗାଲରେ ଏହି ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ୧୩ରୁ ଅଧିକ ମାମଲା କେବଳ କାନାଡାରୁ ଚିହ୍ନଟ ହୋଇଛି।

ଗତ ମେ’ ୭ରେ ବ୍ରିଟେନରେ ମଙ୍କିପକ୍ସର ପ୍ରଥମ ମାମଲା ଚିହ୍ନଟ ହୋଇଥିଲା। ଏଥିରେ ଆକ୍ରାନ୍ତ ଯୁବକ ଜଣକ ନାଇଜେରିଆରୁ ଫେରିଥିଲେ। ବର୍ତ୍ତମାନ ସୁଦ୍ଧା ବ୍ରିଟେନରେ ୨୦ ଜଣ ସଂକ୍ରମିତ ଚିହ୍ନଟ ହେଲେଣି। ଗତକାଲି ସୁଦ୍ଧା ୯ ଜଣ ସଂକ୍ରମିତ ଥିଲେ। ଆଜି ଦିନକରେ ୧୧ ନୂଆ କେସ୍ ସାମ୍ନାକୁ ଆସିଛି। ସ୍ପେନ ଓ ପର୍ତ୍ତୁଗାଲରେ ୪୦ଟି ମଙ୍କିପକ୍ସ ମାମଲା ଆସିଛି। ଏହି ରୋଗ ସଂକ୍ରମିତ ହୋଇଥିବା ମାଙ୍କଡ କିମ୍ବା କୁକୁର ଭଳି ପଶୁ କାମୁଡିବା ଦ୍ୱାରା ମଣିଷଙ୍କୁ ସଂକ୍ରମଣ କରିଥାଏ। ଏଥି ସହ ସଂକ୍ରମିତ ପ୍ରାଣୀଙ୍କ ରକ୍ତ, ଲାଳ ଓ ଲୋମକୁ ଛୁଇଁବା ଫଳରେ ଏହା ବ୍ୟାପିବା ଆଶଙ୍କା ରହିଛି।

କହିବାକୁ ଗଲେ, ବର୍ତ୍ତମାନ ମଙ୍କିପକ୍ସ ଭୂତାଣୁ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଏହାକୁ ଗମ୍ଭୀରତାର ସହ ନେଇ ବିଶେଷଜ୍ଞମାନଙ୍କର ଏକ ଜରୁରୀ ବୈଠକ ଡକାଇବାକୁ ନିଷ୍ପତ୍ତି ନେଇଛି। ଏହି ବୈଠକରେ ଭାଇରସ୍‌ ବ୍ୟାପିବାର ମାଧ୍ୟମ, ଗେ ଓ ବାଇସେକ୍ସୁଆଲ ପୁରୁଷଙ୍କ ଠାରେ ଏହାର ଅଧିକ ବିସ୍ତାର ଏବଂ ଟିକାର ସ୍ଥିତି ଉପରେ ବିଶେଷ ଆଲୋଚନା ହୋଇପାରେ।

ବ୍ରିଟେନ ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି ଅନୁସାରେ, ମେ’ ୧୮ରେ ଆମେରିକା ମୈସାଚୁସେଟ୍‌ସର ଜନସ୍ୱାସ୍ଥ୍ୟ ବିଭାଗ କାନାଡା ଯାତ୍ରା କରିଥିବା ଜଣେ ପୁରୁଷଙ୍କଠାରେ ମଙ୍କିପକ୍ସ ଭୂତାଣୁ ଚିହ୍ନଟ ହୋଇଥିବା ନେଇ ନିଶ୍ଚିତ କରିଥିଲା। ଏହି ରୋଗରେ ଲୋକଙ୍କୁ କୌଣସି ଗମ୍ଭୀର ବିପଦ ନାହିଁ। ଯେଉଁମାନେ ସଂକ୍ରମିତ ହୋଇଛନ୍ତି, ସେମାନେ ହସ୍ପିଟାଲରେ ଭଲ ସ୍ଥିତିରେ ଅଛନ୍ତି। ମଙ୍କିପକ୍ସ ଏକ ଦୁର୍ଲ୍ଲଭ ରୋଗ, ଯାହା କି ସାଧାରଣ ଫ୍ଲୁ ଭଳି ହୋଇଥାଏ। ଏହା ମୁହଁ ଏବଂ ଶରୀରରେ ବଡ଼ ବଡ଼ ଫୋଟକା ଭଳି ବାହାରିଥାଏ। ଅଧିକାଂଶ ମାମଲାରେ ସଂକ୍ରମଣ ୨ ରୁ ୪ ସପ୍ତାହ ପର୍ଯ୍ୟନ୍ତ ରହିିଥାଏ। କିନ୍ତୁ ଏହି ଭାଇରାସ୍‌ ଲୋକଙ୍କ ଠାରେ ସହଜରେ ବ୍ୟାପି ନ ଥାଏ। ଅନ୍ୟ ପକ୍ଷରେ ମଙ୍କିପକ୍ସ ଯୋଗୁ ପେରୁରେ ବର୍ତ୍ତମାନ ଆଲର୍ଟ ଜାରି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.