ଆଜିଠୁ ଆରମ୍ଭ ସଂସଦର ମୌସୁମୀ ଅଧିବେଶନ : ଏଥର ଗୃହ କେମିତି ଚାଲିବ, ତା’ ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଳୀ : ଆଜିଠୁ ମୌସୁମୀ ଅଧିବେଶନ ,କାର୍ୟ୍ୟ ଦିବସ ଆରମ୍ଭରୁ ରାଜନୈତିକ ତାତି ବଢି ଯାଇଛି । ଗୃହ କାର୍ୟ୍ୟ ସୁରୁଖୁରୁରେ ଚଳାଇବାକୁ ସରକାର ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଛନ୍ତି । ସମସ୍ତେ ଦେଶର ସମସ୍ୟା ସମ୍ପର୍କରେ ଆଲୋଚନା ପାଇଁ ରାଜି ହୋଇଛନ୍ତି । କିନ୍ତୁ କଂଗ୍ରେସର ଅଭିଯୋଗ, ସରକାର ପ୍ରମୁଖ ପ୍ରସଙ୍ଗକୁ ଏଡାଇବାକୁ ଚାହୁଁଛନ୍ତି । ଦେଶରେ ମହିଳା ସୁରକ୍ଷା, ନିଯୁକ୍ତି ସୁଯୋଗ ନେଇ ବଡ଼ ସମସ୍ୟା ରହିଛି । ଏଥିରୁ ଧ୍ୟାନ ହଟାଇବାକୁ ବିବାଦୀୟ ପ୍ରସଙ୍ଗ ଉଠାଇ, ଗୃହରେ ବିଶୃଙ୍ଖଳା ସୃଷ୍ଟି ପାଇଁ ସରକାର ଚେଷ୍ଟା କରୁଛନ୍ତି । ଶେଷରେ ବିରୋଧୀଙ୍କୁ ବିଶୃଙ୍ଖଳା ପାଇଁ ଦାୟୀ କରାଯାଉଥିବା କଂଗ୍ରେସ ଅଭିଯୋଗ କରିଛି ।

ସେହିପରି ଅନ୍ୟ ବିରୋଧୀ ଦଳ ମଧ୍ୟ, ସରକାରୀଙ୍କୁ ଅଧିବେଶରେ ତୀବ୍ର ଆକ୍ରମଣ କରିବାକୁ ମନ ବଳାଇଛନ୍ତି । ସେପଟେ ଆଜି ପାଇଁ ଅନାସ୍ଥା ପ୍ରସ୍ତାବ ନୋଟିସ ଦେଇଛି ଟିଡିପି । ଗତ ବଜେଟ୍ ଅଧିବେଶନ ଦ୍ୱିତୀୟ ଭାଗରୁ ଟିଡିପି ଅନାସ୍ଥା ପ୍ରସ୍ତାବ ନୋଟିସ ଦେଇଚାଲିଛି । କିନ୍ତୁ ସଂସଦରେ ହଟ୍ଟଗୋଳ ଯୋଗୁ ଗ୍ରହଣ ହୋଇପାରୁନାହିଁ । ଏଥର ମଧ୍ୟ ତାହା ଦେଖିବାକୁ ମିଳିପାରେ । ଏହାସହ ଏଥର ଅଧିବେଶନରେ କାଶ୍ମୀର ସ୍ଥିତି, କୃଷି ଓ କୃଷକ, ନିଯୁକ୍ତି ସୁଯୋଗ ସହ ବୃଦ୍ଧି ପାଉଥିବା ମବ୍ ଲିଞ୍ଚିଙ୍ଗ୍ ପ୍ରସଙ୍ଗ ବିରୋଧୀ ଉଠାଇ ପାରନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି, ଗୃହ ଭିତରେ ସବୁ ପ୍ରସଙ୍ଗ ଆଲୋଚନା ପାଇଁ ମୋଦି ସରକାର ପ୍ରସ୍ତୁତ ।

ଜୁଲାଇ ୧୮ରୁ ଅଗଷ୍ଟ ୧୦ ଯାଏଁ ଚାଲିବ ସଂସଦର ମୌସୁମୀ ଅଧିବେଶନ । ସରକାର ଟ୍ରିପଲ ତଲାକ ବିଲକୁ ପାସ୍ କରିବାକୁ ଉଦ୍ୟମ କରିବେ । ଏହାସହ ଦ’ ଫ୍ୟୁଜିଟିଭ୍ ଇକୋନୋମିକ୍ ଅଫେଣ୍ଡର୍ସ, ଇନସଲଭେନସି ଏଣ୍ଡ ବ୍ୟାଙ୍କରପସି କୋଡ୍, ହୋମିଓପାଥି ସେଣ୍ଟ୍ରାଲ କାଉନସିଲ, କ୍ରିମିନାଲ ଲ’, ନ୍ୟାସନାଲ ସ୍ପୋର୍ଟସ ଭଳି ଲାଗୁ ହୋଇଥିବା ୬ଟି ଅଧ୍ୟାଦେଶକୁ ସଂସଦର ମଞ୍ଜୁରୀ ପାଇଁ ସରକାର ଉଦ୍ୟମ କରିବେ । ହୋହଲ୍ଲା ଯୋଗୁ ଗତ ବଜେଟ୍ ଅଧିବେଶନରେ ଲୋକସଭାର ୭୯ ପ୍ରତିଶତ ଓ ରାଜ୍ୟସଭାର ୬୯ ପ୍ରତିଶତ ସମୟ ବରବାଦ ହୋଇଥିଲା।

ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ, ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । କହିଥିଲେ ଏଥର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ସରକାର ଗୃହୀତ କରାନ୍ତୁ, କଂଗ୍ରେସ ସମର୍ଥନ କରିବ । ଏହି ବିଲ୍ ୨୦୧୦ରେ ରାଜ୍ୟସଭାରେ ପାସ୍ ହୋଇଥିଲା । କିନ୍ତୁ ୮ ବର୍ଷ ହେଲା ଲୋକସଭାରେ ପଡି ରହିଛି ।

ଏହାର ଉତ୍ତର ଦେଇଛନ୍ତି ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ । କଂଗ୍ରେସ, ସଂସଦରେ ଟ୍ରିପଲ ବିଲ୍ ପାସ କରାଇବାରେ ସହଯୋଗ କରୁ । କଂଗ୍ରେସକୁ ନୂଆ ଡିଲ୍ ଅଫର କରିଛନ୍ତି ରବି ଶଙ୍କର । କହିଛନ୍ତି, ସଂସଦରେ ଏକ ସଂଗରେ ପାସ୍ ହେଉ ଟ୍ରିପଲ ତଲାକ ବିଲ ଓ ମହିଲା ସଂରକ୍ଷଣ ବିଲ୍। ନିର୍ବାଚନ ପୂର୍ବରୁ ଟ୍ରିପଲ ତଲାକ ବିଲ୍ ପାସ୍ କରାଇ ପାରିଲେ, ସରକାରଙ୍କ ପାଇଁ ବଡ଼ ଉପଲବ୍ଧି ହେବ । ମୁସଲିମ ମହିଳାଙ୍କ ସୁରକ୍ଷା ପାଇଁ ଉଦ୍ୟମ ଜାରି ରଖିଛି ବିଜେପି । ଲୋକସଭାରେ ଗୃହୀତ ହୋଇ ସାରିଛି । କିନ୍ତୁ ରାଜ୍ୟସଭାରେ ବିରୋଧୀଙ୍କ ଆପତ୍ତି ଯୋଗୁଁ, ଏହା ପାସ୍ ହୋଇ ପାରୁନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.