ଆଜି କେରଳ ଛୁଇଁଲା ମୌସୁମୀ, ଜୁନ ଦ୍ୱିତୀୟ ସପ୍ତାହରେ ଓଡ଼ିଶାରେ କରିବ ପ୍ରବେଶ

ନୂଆଦିଲ୍ଲୀ : ଉତ୍ତର ଭାରତରେ ଜାରି ରହିଛି ଭୟଙ୍କର ଗ୍ରୀଷ୍ମ ପ୍ରବାହ । କଲବଲ କରୁଛି ମୁଣ୍ଡଫଟା ଖରା । ପ୍ରବଳ ଗରମ ଲାଗି ଅଣାୟତ୍ତ ସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରେ ୫୦ ଡେଇଁଛି ପାରଦ । ଏଭଳି ଭୟଭ୍‌କ ତାତି ଭିତରେ ଏକ ଆଶ୍ୱସ୍ତିକର ଖବର ଆସିଛି । ଆଜି କେରଳ ଛୁଇଁଲା ମୌସୁମୀ । କେରଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁବା ନେଇ ପାଗ ଅନୁକୂଳ ରହିଥିଲା । ଏନେଇ ଏକ୍ସ ଜରିଆରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।। ଏଥିସହ ଓଡ଼ିଶାରେ ବି ସଠିକ ସମୟ ଅର୍ଥାତ ଜୁନ ୧୧ ରୁ ୧୫ ଭିତରେ ମୌସୁମୀ ବାୟୁ ପହଞ୍ଚିବ ବୋଲି ଆକଳନ କରାଯାଇଛି ।

ଚଳିତ ବର୍ଷ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବ। ଏବର୍ଷ ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଦେଶରେ ହାରାହାରି ୧୦୬ ପ୍ରତିଶତ ବର୍ଷା ହେବ ବୋଲି ଆକଳନ କରିଛି ଆଇଏମଡି । କେନ୍ଦ୍ରୀୟ ଏବଂ ଦକ୍ଷିଣ ଭାରତରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବ । ୧୦୬ ପ୍ରତିଶତରୁ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ସେହିଭଳି ଉତ୍ତର-ପୂର୍ବ ଭାରତରେ ସ୍ବାଭାବିକ ଠାରୁ କମ ବୃଷ୍ଟିପାତ ହେବ। ୯୪ ପ୍ରତିଶତରୁ କମ ବୃଷ୍ଟିପାତ ହୋଇପାରେ। ଉତ୍ତରପଶ୍ଚିମ ଭାରତରେ ସ୍ବାଭାବିକ ବୃଷ୍ଟିପାତ ହେବ। ଓଡ଼ିଶାରେ ସ୍ବାଭାବିକ ଠାରୁ କମ ବୃଷ୍ଟିପାତ ହେବ। ତେବେ ଜୁନରେ ସ୍ବାଭାବିକ ଠାରୁ କମ ରହିବ ବୃଷ୍ଟିପାତ।

ସେପଟେ ଆଜି ସକାଳୁ ସକାଳୁ ଜଳିଲାଣି ଭୁବନେଶ୍ୱର  । ଆକାଶରୁ ବର୍ଷୁଛି ଅଗ୍ନି ପିଣ୍ଡୁଳା । ଭୋର ୫ଟା ୩୦ ସୁଦ୍ଧା ଭୁବନେଶ୍ବରରେ ତାପମାତ୍ରା ୩୧ ଡିଗ୍ରୀ ରେକର୍ଡ କରାଯାଇଛି। ଗରମ ସାଙ୍ଗକୁ ଗୁଳୁଗୁଳି କରୁଛି କଲବଲ । ଆଗାମୀ ୨ ଦିନ ଭିତରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବଢ଼ିବ । ୪୮ ଘଣ୍ଟା ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

You might also like