ମୋରବୀ ବ୍ରିଜ୍‌ ଟ୍ରାଜେଡି ; ବିଜେପି ସାଂସଦଙ୍କ ୧୨ ଜଣ ସଂପର୍କୀୟ ମୃତ, ବ୍ରିଜର ନଥିଲା ଫିଟନେସ ସାର୍ଟିଫିକେଟ୍

ଗୁଜରାଟ ମୋରବୀ ମଚ୍ଛୁ ନଦୀରେ ହୋଇଥିବା ଝୁଲା ପୋଲ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୪୧ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ତେବେ ମଚ୍ଛୁ ନଦୀରେ ହୋଇଥିବା ଏହି ହୃଦୟବିଦାରକ ଦୁର୍ଘଟଣାରେ ବିଜେପି ସାଂସଦଙ୍କ ୧୨ ଜଣ ସମ୍ପର୍କୀୟଙ୍କ ମଧ୍ୟ ଜୀବନ ଚାଲିଯାଇଛି। ସମ୍ପର୍କୀୟଙ୍କ ମୃତ୍ୟୁ ପରେ ବିଜେପି ସାଂସଦ ମୋହନ ଭାଇ କୁନ୍ଦରିଆ ଅତ୍ୟନ୍ତ ଦୁଃଖିତ ହୋଇପଡିଛନ୍ତି। ସାଂସଦଙ୍କ କହିବା ମୁତାବକ, ଏହି ଦୁର୍ଘଟଣାରେ ସେ ତାଙ୍କ ଭିଣେଇଙ୍କ ଭାଇଙ୍କ ୪ ଝିଅ, ୪ ଜ୍ୱାଇଁ ଓ ପିଲାଙ୍କୁ ହରାଇଛନ୍ତି।

ଉଦ୍ଧାର କାର୍ଯ୍ୟରେ ୨୦୦ରୁ ଅଧିକ ଲୋକ ଲାଗିଛନ୍ତି। ତେବେ ରାଜକୋଟର ମୁଖ୍ୟ ଅଗ୍ନିଶମ ଅଧିକାର ଇଲେଶ ଖେର କହିଛନ୍ତି, ଅଗ୍ନିଶମ ବିଭାଗ ତରଫରୁ ୬ଟି ଡଙ୍ଗା, ୬ଟି ଆମ୍ବୁଲାନ୍ସ, ୨ଟି ଉଦ୍ଧାରକାରୀ ଭ୍ୟାନ୍‌, ୬୦ ଯବାନ ରହିଛନ୍ତି।

ସୂଚନା ମୁତାବକ, ଏହି ଝୁଲା ପୋଲଟିକୁ ମରାମତି ହେବାର ମାତ୍ର ୪ରୁ ୫ ଦିନ ଭିତରେ ଖୋଲିବା ପରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଏଥିପାଇଁ ଏହାକୁ ନେଇ ପ୍ରଶାସନ ଉପରେ ଅନେକ ପ୍ରଶ୍ନ ଉଠିଛି। ଏହି ବ୍ରିଜର ଫିଟନେସ ସାର୍ଟିଫିକେଟ୍ ମଧ୍ୟ ନଥିବା ଜଣାପଡିଛି।

ସ୍ଥାନୀୟ ମ୍ୟୁନିସିପାଲଟିର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଏକ ଘରୋଇ କମ୍ପାନୀ ଓରେବା ଦ୍ୱାରା ନିର୍ମିତ ଏହି ପୋଲକୁ ମିଳିନଥିଲା ଫିଟ୍‌ନେସ ସାର୍ଟିଫିକେଟ୍। ଗତ ୭ ମାସ ଧରି ପୋଲର ମରାମତି ଚାଲିଥିଲା। ହେଲେ ଛଠ୍ ପୂଜା ପାଇଁ ଗତ ୪ ଦିନ ତଳେ ତରବରିଆ ଭାବେ ଏହି ପୋଲଟିକୁ ସର୍ବସାଧାରଣଙ୍କ ପାଇଁ ଖୋଲି ଦିଆଯାଇଥିଲା।

କେମିତି ଓ କାହିଁକି ଘଟିଲା ଅଘଟଣା ସେନେଇ ଆରମ୍ଭ ହୋଇଛି ତନାଘନା ? ବ୍ରିଜରେ ଏକା ସଙ୍ଗରେ ଏତେ ଲୋକ କିପରି ରହିଲେ ସେନେଇ ପ୍ରଶ୍ନ ଉଠିଛି। ତଦନ୍ତ ପାଇଁ ଗଠନ ହୋଇଛି ୫ ଜଣିଆ ଉଚ୍ଚସ୍ତରୀୟ କମିଟି। ଆଇଜିପି ର‍୍ୟାଙ୍କର ଜଣେ ଅଧିକାରୀଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଛି। ବ୍ରିଜର ରକ୍ଷଣାବେକ୍ଷଣା ଦାୟିତ୍ୱରେ ଥିବା ମ୍ୟାନେଜମେଣ୍ଟ ଏଜେନ୍ସି ନାଁରେ ୩୦୪, ୩୦୮ ଓ ୧୧୪ ଆଧାରରେ ଅପରାଧିକ ମାମଲା ରୁଜୁ ହୋଇଛି। ଏଜେନ୍ସି ରିନୋଭେସନ କାମ ପରେ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ନେଇ ନଥିବା ଅଭିଯୋଗ ହୋଇଛି। ସନ୍ଧ୍ୟା ସୁଧା ତଦନ୍ତକାରୀ ଟିମ ଏନେଇ ଗୁଜୁରାଟ ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିବ ।

Also Read : ଚାରିଆଡେ ଭାସୁଥିଲା ଶବ, ଶୁଭୁଥିଲା ବିକଳ ଚିତ୍କାର, ନିଜ ଲୋକଙ୍କୁ ଖୋଜୁଥିଲା ଆଖି; ସାମ୍ନାକୁ ଆସିଲା ଛାତିଥରା ଭିଡିଓ