ଆସାମରେ ବନ୍ୟା ସ୍ଥିତିରେ ମାମୁଲି ସୁଧାର, ୧୨.୩୩ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ମୃତକଙ୍କ ସଂଖ୍ୟା ୯୦କୁ ବୃଦ୍ଧି

ଆସାମରେ ବନ୍ୟା ସ୍ଥିତି ଜଟିଳ ରହିଛି । ଲକ୍ଷ ଲକ୍ଷ ଲୋକଙ୍କ ବିସ୍ଥାପନ ସହିତ ରାଜ୍ୟରେ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ଆଉ ୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୯୦ରେ ପହଞ୍ଚିଛି ।
ରାଜ୍ୟ ବିପର୍ଯ୍ୟୟ ପ୍ରାଧିକରଣର ସଦ୍ୟତମ ବନ୍ୟା ରିପୋର୍ଟରେ କୁହାଯାଇଛି ଯେ ଗୋଓ୍ଵାଲପାଡ଼ା ଜିଲ୍ଲାରେ ଡଙ୍ଗା ଓଲଟି ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ନାଗାଓଁ ଏବଂ ଜୋରହାଟ ଜିଲ୍ଲାରେ ବନ୍ୟା ପାଣିରେ ବୁଡ଼ିଯିବା କାରଣରୁ ଜଣେ ଲେଖାଏ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।
ତେବେ ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ଅଧିକାରୀ କହିଛନ୍ତି ଯେ ବନ୍ୟା ପାଣି ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଅନେକ ନଦୀର ଜଳ ସ୍ତର ବର୍ତ୍ତମାନ ହ୍ରାସ ପାଉଛି । କିନ୍ତୁ ବ୍ରହ୍ମପୁତ୍ର ନଦୀ ସହିତ ବୁରହିଡିହିଙ୍ଗ ନଦୀ, ଦିସାଙ୍ଗ ନଦୀ ଏବଂ କୁଶିଆରା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।
ଆସାମର ୨୪ଟି ଜିଲ୍ଲାର ୧୨.୩୩ ଲକ୍ଷରୁ ଅଧିକ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ୭୫ଟି ରାଜସ୍ୱ ଗ୍ରାମ ଅନ୍ତର୍ଗତ ୨୪୦୬ଟି ଗାଁ ଏବଂ ସେଠାକାର ୩୨୯୨୪.୩୨ ହେକ୍ଟର ଫସଲ ଜମି ଏବେ ବି ବନ୍ୟା ପାଣିରେ ବୁଡ଼ି ରହିଛି ।