ଏଲନ୍ ମସ୍କଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଭାରତରେ ବ୍ୟାନ୍ କଲେ ୨ ଲକ୍ଷରୁ ଅଧିକ X ଆକାଉଣ୍ଟ, ହେଉଥିଲା ଘୃଣ୍ୟ କାର୍ଯ୍ୟ

ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ଭାରତରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । X କର୍ପ ଏପ୍ରିଲ ୨୬ରୁ ମେ’ ୨୫ ମଧ୍ୟରେ ଭାରତରେ ୨ ଲକ୍ଷରୁ ଅଧିକ ଆକାଉଣ୍ଟ ବ୍ୟାନ୍ କରିଛି । ସେଥିମଧ୍ୟରୁ ଅଧିକାଂଶ ଆକାଉଣ୍ଟ ଦ୍ୱାରା ଘୃଣ୍ୟ କାର୍ଯ୍ୟକଳାପ କରାଯାଉଥିଲା । X ଏହାର ମାସିକ ରିପୋର୍ଟରେ ବ୍ୟାନ୍ ହୋଇଥିବା ଆକାଉଣ୍ଟଗୁଡିକ ବିଷୟରେ ଉଲ୍ଲେଖ କରି କହିଛି, ଏହି ଆକାଉଣ୍ଟଗୁଡିକ X (ପୂର୍ବରୁ ଟ୍ୱିଟର)ର ନୀତି ଉଲ୍ଲଂଘନ କରୁଥିଲେ ।
୨,୨୯,୯୨୫ଟି ଆକାଉଣ୍ଟକୁ ବ୍ୟାନ୍ କରାଯାଇଥିବା ବେଳେ ଏହି ଆକାଉଣ୍ଟଗୁଡ଼ିକ ମଧ୍ୟରୁ ଅଧିକାଂଶ ଶିଶୁ ଯୌନ ଶୋଷଣ ଏବଂ ନଗ୍ନତା ଭଳି ଭୁଲ୍ କାର୍ଯ୍ୟରେ ଲିପ୍ତ ରହିଥିଲା । ଏହା ବ୍ୟତୀତ ଆତଙ୍କବାଦର ପ୍ରଚାର ପ୍ରସାର ପାଇଁ ୯୬୭ଟି ଆକାଉଣ୍ଟକୁ ବ୍ୟାନ୍ କରାଯାଇଛି । ଏହିପରି ଏଲନ୍ ମସ୍କ ସମୁଦାୟ ୨,୩୦,୮୯୨ଟି ଆକାଉଣ୍ଟକୁ ବ୍ୟାନ୍ କରିଛନ୍ତି ।
ନୂତନ ଆଇଟି ନିୟମ ୨୦୨୧ ଅନୁସାରେ X ଭାରତରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମାସିକ ରିପୋର୍ଟରେ X କହିଛି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମୋଟ ୧୭,୫୮୦ଟି ଅଭିଯୋଗ ମିଳିଥିଲା, ଯାହାକୁ ଇଣ୍ଡିଆନ୍ ଗ୍ରୀଭାନ୍ସ ରେଡ୍ରେସାଲ ମେକାନିଜମ୍ ଅଧୀନରେ ସମାଧାନ କରାଯାଇଥିଲା ।
୫୦ ହଜାର କିମ୍ବା ଏହାଠାରୁ ଅଧିକ ୟୁଜରବେସ୍ ସୋସିଆଲ ମିଡିଆ ଫ୍ଲାଟଫର୍ମକୁ ପ୍ରତି ମାସରେ ଅନୁପାଳନ ରିପୋର୍ଟ ଦେବାକୁ ପଡ଼ିଥାଏ, ଯେଉଁଥିରେ କୌଣସି ବି ୟୁଜର ଆକାଉଣ୍ଟରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଆଦିର ବିବରଣୀ ଦେବାକୁ ପଡ଼େ ।
କମ୍ପାନୀ କହିଛି ଯେ X ୭୬ଟି ଅଭିଯୋଗକୁ କାର୍ଯ୍ୟକାରୀ କରିଛି, ଯେଉଁଥିରେ ଆକାଉଣ୍ଟ ସସ୍ପେଣ୍ଡ କରିବାକୁ ଅଭିଯୋଗ ମିଳିଥିଲା । ତେବେ ରିଭ୍ୟୁ ପରେ କୌଣସି ବି ଆକାଉଣ୍ଟର ନିଲମ୍ବନକୁ ପରିବର୍ତ୍ତନ କରାଯାଇ ନାହିଁ । ଏହି ଆକାଉଣ୍ଟଗୁଡ଼ିକ ଆଗକୁ ମଧ୍ୟ ସସ୍ପେଣ୍ଡ ରହିବ ।
ଭାରତରେ ଅଧିକାଂଶ ଆକାଉଣ୍ଟ (୬,୮୮୧) ବିରୋଧରେ ହେଟ୍ଫୁଲ କଣ୍ଡକ୍ଟ ବା ଘୃଣ୍ୟ ଆଚରଣର ଅଭିଯୋଗ ମିଳିଛି । ଏହିପରି ୩୨୦୫ଟି ଅଭିଯୋଗ ସମ୍ବେଦନଶୀଳ ଆଡଲ୍ଟ କଣ୍ଟେଣ୍ଟ୍ ଏବଂ ୨,୮୧୫ଟି ଅଭିଯୋଗ ଗାଳିକୁ ନେଇ ଗ୍ରହଣ କରାଯାଇଛି । ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ଉପରେ ୧,୩୦୩ ଆକାଉଣ୍ଟକୁ ବ୍ୟାନ୍ କରିଛି ।