ଉତ୍ତର ପ୍ରଦେଶ ଓ ବିହାରରେ କନ୍ୟା ଖୋଜୁଛନ୍ତି ୪୦ ହଜାର ତାମିଲ ବ୍ରାହ୍ମଣ ଯୁବକ, ଜାଣନ୍ତୁ କାହିଁକି ହଠାତ୍‌ ଅଭାବ ପଡ଼ିଲେ ଝିଅ

ତାମିଲନାଡ଼ୁରେ ୪୦,୦୦୦ରୁ ଅଧିକ ବ୍ରାହ୍ମଣ ଯୁବକ ବିବାହ କରିପାରୁ ନାହାନ୍ତି। କାହିଁକିନା, ସେମାନେ ରାଜ୍ୟ ଭିତରେ ନିଜ ପାଇଁ କନ୍ୟା ଖୋଜି ପାରୁ ନାହାନ୍ତି। ପ୍ରକୃତ କଥା ହେଉଛି, ତାମିଲନାଡ଼ୁରେ ବିବାହ ଯୋଗ୍ୟ ଆୟୁ ବର୍ଗରେ ୧୦ ବ୍ରାହ୍ମଣ ଯୁବକ ଥିବା ବେଳେ ସେପଟେ ଏହି ଆୟୁ ବର୍ଗରେ ମାତ୍ର ୬ ଯୁବତୀ ଉପଲବ୍ଧ ରହୁଛନ୍ତି। ଯେଉଁ କାରଣରୁ ତାମିଲ ବ୍ରାହ୍ମଣ ଯୁବକ ଏବେ ୟୁପି ଏବଂ ବିହାର ଭଳି ରାଜ୍ୟର ବ୍ରାହ୍ମଣ ଯୁବତୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ନିଜ ରାଜ୍ୟରେ କନ୍ୟାଙ୍କ ଅଭାବ ହେତୁ ଏଠାରେ ଥିବା ବ୍ରାହ୍ମଣ ସଂଘ ଉତ୍ତର ପ୍ରଦେଶ ଏବଂ ବିହାରରେ ବ୍ରାହ୍ମଣ ଯୁବତୀଙ୍କୁ ଖୋଜିବା ପାଇଁ ଏକ ବିଶେଷ ଅଭିଯାନ ଆରମ୍ଭ କରିଛି। ଥମିଜନାଡୁ ବ୍ରାହ୍ମଣ ଆସୋସିଏଶନ ଅଧ୍ୟକ୍ଷ ଏନ୍‌ ନାରାୟଣନ ସଂଘର ମାସିକ ପତ୍ରିକାର ନଭେମ୍ବର ଅଙ୍କରେ ପ୍ରକାଶିତ ଏକ ଖୋଲା ପତ୍ରରେ ଏ ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି କି, ‘ଆମେ ନିଜ ସଙ୍ଗମ୍‌ ତରଫରୁ ଏକ ବିଶେଷ ଆନ୍ଦୋଳନ ଆରମ୍ଭ କରିଛୁ’।

ନାରାୟଣନ କହିଛନ୍ତି, ୩୦ରୁ ୪୦ ବର୍ଷ ବୟସ ଭିତରେ ୪୦,୦୦୦ରୁ ଅଧିକ ତାମିଲ ବ୍ରାହ୍ମଣ ଯୁବକ ବିବାହ କରିପାରୁ ନାହାନ୍ତି। ଆମେ ଆରମ୍ଭ କରିଥିବା ଏହି ଅଭିଯାନକୁ ଆଗକୁ ବଢ଼ାଇବା ପାଇଁ ଦିଲ୍ଲୀ, ଲକ୍ଷ୍ନୌ ଏବଂ ପାଟଣାରେ ସଂଯୋଜକ ନିଯୁକ୍ତ କରାଯିବ। ହିନ୍ଦୀରେ ପଢ଼ିବା, ଲେଖିବା ଏବଂ କହି ପାରୁଥିବା ବ୍ୟକ୍ତିଙ୍କୁ ଏଠାରେ ଆସୋସିଏଶନ ମୁଖ୍ୟାଳୟରେ ସଂଯୋଜକ ଭୂମିକା ନିଭାଇବା ପାଇଁ ନିଯୁକ୍ତ କରାଯିବ। ନାରାୟଣନ କହିଥିଲେ ଯେ ସେ ବର୍ତ୍ତମାନ ଲକ୍ଷ୍ନୌ ଓ ପାଟଣା ଲୋକଙ୍କ ସମ୍ପର୍କରେ ଅଛନ୍ତି। ଏହି ଅଭିଯାନକୁ କାର୍ଯ୍ୟକାରୀ କରାଯାଇ ପାରିବ। ସେ ଏହି ସମ୍ବନ୍ଧରେ କାମ ଆରମ୍ଭ କରି ଦେଇଛନ୍ତି।

ସେପଟେ କିଛି ବ୍ରାହ୍ମଣ ଲୋକ ଏହି ପଦକ୍ଷେପକୁ ସ୍ୱାଗତ କରିଥିବା ବେଳେ ଆଉ କିଛି ଲୋକଙ୍କର ଅଲଗା ବିଚାର ମଧ୍ୟ ସାମ୍ନାକୁ ଆସିଛି। ଶିକ୍ଷାବିତ୍‌ ଏମ୍‌ ପରମେଶ୍ୱରନ୍‌ କହିଛନ୍ତି, ବିବାହ ଯୋଗ୍ୟ ଆୟୁ ବର୍ଗରେ ପର୍ଯ୍ୟାପ୍ତ ସଂଖ୍ୟାରେ ତାମିଲ ବ୍ରାହ୍ମଣ କନ୍ୟା ଉପଲବ୍ଧ ନାହାନ୍ତି। ଯଦିଓ ପୁଅମାନଙ୍କୁ କନ୍ୟା ନ ମିଳିବାର ଏହା ଏକମାତ୍ର କାରଣ ନୁହେଁ। ସେ ଆଶ୍ଚର୍ଯ୍ୟ ବ୍ୟକ୍ତ କରି କହିଥିଲେ କି, ଭାବୀ ବରର ମାଆ, ବାପା ବିବାହକୁ ବଡ଼ ଧୁମ୍‌ଧାମରେ କରିବାକୁ ଚାହୁଁଛନ୍ତି, ଯାହାକି ଗୋଟିଏ ଗରିବ କନ୍ୟା ପରିବାର ପାଇଁ ସମ୍ଭବପର ନୁହେଁ। ସେ କହିଥିଲେ, କନ୍ୟାର ପରିବାରକୁ ବିବାହର ସମସ୍ତ ଖର୍ଚ୍ଚ ଉଠାଇବାକୁ ପଡ଼ିଥାଏ। ଆଭୂଷଣଠାରୁ ଆରମ୍ଭ କରି ମ୍ୟାରେଜ୍‌ ହଲ୍‌ର ଭଡ଼ା, ଭୋଜନ, ଯୌତୁକ ଆଦିର ଖର୍ଚ୍ଚ ଆଜିକାଲି ଅତି କମ୍‌ରେ ୧୨ରୁ ୧୫ ଲକ୍ଷ ଟଙ୍କା ଆସି ଯାଉଛି। ପରମେଶ୍ୱରନ୍‌ କହିଛନ୍ତି, ‘ମୁଁ ବ୍ୟକ୍ତିଗତ ରୂପେ ଏମିତି ଗରିବ ବ୍ରାହ୍ମଣ ପରିବାରକୁ ଜାଣିଛି, ଯିଏ ନିଜ ଝିଅର ବିବାହ ପାଇଁ ଧନ ଜୁଟାଇବାରେ ଦିନରାତି ସଂଘର୍ଷ କରୁଛନ୍ତି। ଯଦି ଭଲ ଲୋକ ନିଜ ଅହଂକାର ତ୍ୟାଗ କରିବାକୁ ପ୍ରସ୍ତୁତ ହୁଅନ୍ତି, ତେବେ ସେମାନେ ତାମିଲନାଡ଼ୁରେ ହିଁ କନ୍ୟା ଖୋଜି ପାରିବେ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.