ହିଂସାରେ ଜଳୁଛି ବାଂଲାଦେଶ, ସ୍ୱଦେଶ ଫେରିଲେ ୪୫୦୦ରୁ ଅଧିକ ଭାରତୀୟ ଛାତ୍ର

ବାଂଲାଦେଶରେ ହିଂସା ଥମିବାରେ ନାଁ ଧରୁନି । ଏହାରି ମଧ୍ୟରେ ୪୫୦୦ରୁ ଅଧିକ ଭାରତୀୟ ଛାତ୍ର ସ୍ୱଦେଶ ଫେରିଛନ୍ତି । ବୈଦେଶିକ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି କି, ନେପାଳର ୫୦୦, ଭୁଟାନର ୩୮ ଏବଂ ମାଳଦ୍ୱୀପର ଜଣେ ଛାତ୍ର ରହିଛନ୍ତି । ବାଂଲାଦେଶରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ଅଧିକାରୀଙ୍କ ସହିତ ମନ୍ତ୍ରଣାଳୟ ପକ୍ଷରୁ ଲଗାତାର ସଂପର୍କରେ ରହିଛନ୍ତି । ଏପର୍ଯ୍ୟନ୍ତ ୪୫୦୦ରୁ ଅଧିକ ଭାରତୀୟ ଛାତ୍ର ସ୍ୱଦେଶ ଫେରିଛନ୍ତି ।

ମନ୍ତ୍ରଣାଳୟ ତରଫରୁ କୁହାଯାଇଛି କି, ଭାରତୀୟ ଉଚ୍ଚ ଆୟୋଗ ଚଟଗାଁ, ରାଜଶାହୀ, ସିଲହଟ ଏବଂ ଖୁଲନାରେ ସହାୟକ ଭାରତୀୟ ନାଗରିକଙ୍କୁ ସ୍ୱଦେଶ ଫେରିବା ପାଇଁ ସହାୟତା କରୁଛନ୍ତି । ବିଦେଶ ମନ୍ତ୍ରଣାଳୟ ଭାରତୀୟ ନାଗରିକଙ୍କ ପାଇଁ ବନ୍ଦର ଏବଂ ବିମାନବନ୍ଦରରେ ଭାରତୀୟ ଅଧିକାରୀଙ୍କ ସହିତ ସମନ୍ଵୟ ରକ୍ଷା କରୁଛନ୍ତି । ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜୟସଓ୍ଵାଲ କହିଛନ୍ତି, ବାଂଲାଦେଶରେ ପାଖାପାଖି ୧୫,୦୦୦ ଭାରତୀୟ ନାଗରିକ ରହିଛନ୍ତି । ଏଥିରେ ୮,୫୦୦ ଛାତ୍ର ରହିଛନ୍ତି ।

ସୂଚନା ମୁତାବକ, ଏହି ହିଂସା ମଧ୍ୟରେ ବାଂଲାଦେଶ ସର୍ବୋଚ୍ଚ ଅଦାଲତ ଏହି ମାମଲାକୁ ନେଇ ଶୁଣାଣି କରିବା ପରେ ସରକାରୀ ଚାକିରିରେ ସଂରକ୍ଷଣ ହଟାଇଛନ୍ତି । ଏହା ସରକାରଙ୍କ ବଡ ପରାଜୟ, ସରକାର ଆରକ୍ଷଣକୁ ନେଇ ନିଜ ନିଷ୍ପତ୍ତି ଫେରାଇ ନେବାକୁ ପ୍ରସ୍ତୁତ ନଥିଲେ । ଭାରତ ଫେରୁଥିବା ଅନେକ ଛାତ୍ର ସେଠାରେ ଏମବିବିଏସ ପଢୁଥିଲେ । ଏଥିରେ ଅଧିକାଂଶ ଛାତ୍ର ଉତ୍ତରପ୍ରଦେଶ, ହରିୟାଣା, ମେଘାଳୟ ଏବଂ ଜମ୍ମୁ କଶ୍ମୀରର ରହିଥିଲେ ।

ବାଂଲାଦେଶ ସରକାରୀ ଚାକିରିରେ ସଂରକ୍ଷଣକୁ ବିରୋଧ କରି ଜୁଲାଇ ୧ରୁ ଚାଲିଥିବା ବିକ୍ଷୋଭ ଉଗ୍ର ରୂପ ନେଇଛି । ବିକ୍ଷୋଭକାରୀ ଛାତ୍ରଛାତ୍ରୀ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । ଆଇନ ବ୍ୟବସ୍ଥାର ଚିନ୍ତାଜନକ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଷ୍ଟ୍ରବ୍ୟାପୀ କର୍ଫ୍ୟୁ ଲାଗୁ କରିବା ସହ ସେନା ମୁତୟନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ।

ସରକାରୀ ଚାକିରିରେ ସଂରକ୍ଷଣକୁ ବିରୋଧ କରି ଚାଲିଥିବା ବିକ୍ଷୋଭ ଭୟଙ୍କର ହୋଇଛି । ବିକ୍ଷୋଭକାରୀଙ୍କୁ ଦେଖିବା ମାତ୍ରେ ଗୁଳି ମାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସଡ଼କରେ ପଇଁତାର ମାରୁଛି ସେନା । ମୁହାଁମୁହିଁ ହୋଇଛନ୍ତି ବିକ୍ଷୋଭକାରୀ ଛାତ୍ରଛାତ୍ରୀ ଓ ପୋଲିସ । ହିଂସା ଯୋଗୁ ଉଭୟ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୧୧୫ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୨୫ ଶହରୁ ଅଧିକ ଆହତ ହୋଇଛନ୍ତି ।  ହିଂସା ଯୋଗୁଁ ଦେଶବ୍ୟାପୀ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ମୋବାଇଲ୍ ଓ ଇଣ୍ଟରନେଟ ସେବା ବନ୍ଦ ରହିଛି ।

You might also like