ମହାକୁମ୍ଭ ଶେଷ : ୪୫ ଦିନରେ ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ ପକାଇଲେ ବୁଡ଼, ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ସରିଲା ମହାକୁମ୍ଭ । ଶେଷଦିନରେ ଅସମ୍ଭାଳ ଭିଡ଼ । ମହାକୁମ୍ଭର ଶେଷଦିନରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ୪୫ ଦିନରେ ୬୬ କୋଟିରୁ ଅଧିକ ଲୋକ ବୁଡ ପକାଇଛନ୍ତି । ମହାଶିବରାତ୍ରିରେ ଅନ୍ତିମ ଅମୃତ ସ୍ନାନ ସହ ଶେଷ ହୋଇଛି କୁମ୍ଭ ମେଳା । ଶେଷ ଦିନରେ ସଙ୍ଗମ ସ୍ଥଳରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ମହାଶିବରାତ୍ରି ଥିବାରୁ ପ୍ରାୟ ୨ କୋଟି ଶ୍ରଦ୍ଧାଳୁ ଗତକାଲି ବୁଡ଼ ପକାଇଥିଲେ । ତ୍ରିବେଣୀ ସଙ୍ଗମର ସଫଳ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ସମସ୍ତ ସନ୍ଥ ଏବଂ ଭକ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ତୀର୍ଥରାଜ ପ୍ରୟାଗରାଜର ତ୍ରିବେଣୀରେ ୬୬ କୋଟିରୁ ଅଧିକ ଲୋକ ପବିତ୍ର ବୁଡ଼ ପକାଇଛନ୍ତି । ମହାକୁମ୍ଭରେ ୫୦ ରୁ ଅଧିକ ଦେଶରୁ ଭକ୍ତ ଆସିଥିଲେ। ନେପାଳ, ଭୁଟାନ, ଆମେରିକା, ଇଂଲଣ୍ଡ, ଜାପାନ ସମେତ ଅନେକ ଦେଶର ଲୋକମାନେ ସଙ୍ଗମରେ ଧାର୍ମିକ ସ୍ନାନ କରିଥିଲେ । ମହାକୁମ୍ଭ ସମୟରେ ସରକାର ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଥିଲେ ।

୧୪୪ ବର୍ଷ ପରେ ଏଭଳି ଏକ ଐତିହାସିକ ମୁହୂର୍ତ୍ତର ମୂକ ସାକ୍ଷୀ ହେବା ଲାଗି କୋଟି କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜରେ ବୁଡ଼ ପକାଇଛନ୍ତି । ଜାନୁଆରୀ ୧୩ ତାରିଖ ପୌଷ ପୂର୍ଣ୍ଣିମାରୁ ମହାକୁମ୍ଭ ଆରମ୍ଭ ହୋଇଥିଲା । ଦୀର୍ଘ ୪୫ଦିନ ଧରି ମହାକୁମ୍ଭ ମେଳା ଚାଲିଥିଲା । ଆସ୍ଥା ଓ ବିଶ୍ବାସର ପ୍ରତୀକ ମହାକୁମ୍ଭରେ ୬୬ କୋଟି ଲୋକ ବୁଡ ପକାଇଛନ୍ତି। ଗତକାଲି ଶେଷ ଅମୃତ ସ୍ନାନ ପାଇଁ ଦେଶ ଓ ବିଦେଶର ଲୋକମାନେ ପ୍ରୟାଗରାଜକୁ ଆସିଥିଲେ ।

ଜାନୁଆରୀ ୧୩ ତାରିଖ ପୌଷ ପୂର୍ଣ୍ଣିମାରେ ଆରମ୍ଭ ହୋଇଥିବା ମହାକୁମ୍ଭ ଦେଢ଼ମାସ ଧରି ଚାଲିଥିଲା । ପ୍ରୟାଗରାଜରେ ପ୍ରତିଦିନ ବୁଡ଼ ଚାଲିଥିଲେ ହେଁ ମକର ସଂକ୍ରାନ୍ତି, ମୌନୀ ଅମାବାସ୍ୟା, ବସନ୍ତ ପଞ୍ଚମୀ, ମାଘ ପୂର୍ଣ୍ଣିମା, ଶିବରାତ୍ରିରେ ଅମୃତ ସ୍ନାନ ପାଇଁ ଭୀଷଣ ଭିଡ଼ ହୋଇଥିଲା ।

Also Read : ସରିଲା ମହାକୁମ୍ଭ ମେଳା, ମହାଶିବରାତ୍ରୀରେ ସଂଗମରେ ସ୍ନାନ କଲେ ହୋଇଥାଏ ମୋକ୍ଷପ୍ରାପ୍ତି