ରୋମାନିଆ ସୀମାରେ ଫସିଛନ୍ତି ୬ ହଜାରରୁ ଅଧିକ ଭାରତୀୟ ଛାତ୍ର! ଖାଦ୍ୟ ପାଇଁ ଡହଳବିକଳ; ରେଷ୍ଟୁରାଣ୍ଟରେ ଝୁଲିଛି ‘ନୋ ଇଣ୍ଡିଆନ୍ସ ଆଲାଉଡ୍‌’ ବୋର୍ଡ

ରୁଷ୍‌-ୟୁକ୍ରେନ ଯୁଦ୍ଧ ଭିତରେ ସବୁଠାରୁ ଖରାପ ସ୍ଥିତି ହେଉଛି, ୟୁକ୍ରେନରେ ଫସି ରହିଥିବା ହଜାର ହଜାର ଭାରତୀୟ ଛାତ୍ର ବର୍ତ୍ତମାନ ରୋମାନିଆ ସୀମାରେ ଏକାଠି ହୋଇଛନ୍ତି। କେବେ ସେମାନେ ଘରକୁ ଯିବେ, ତାହା ଜଣାପଡ଼ି ନାହିଁ। ଏଭଳି ସ୍ଥଳେ ସୀମାରେ ରାତି ବିତାଇବାର କୌଣସି ବ୍ୟବସ୍ଥା ନାହିଁ କି ଖାଦ୍ୟପେୟର ମଧ୍ୟ ବ୍ୟବସ୍ଥା ନାହିଁ। ସବୁଠାରୁ ଅଧିକ ଦୁର୍ଭାଗ୍ୟପୂର୍ଣ୍ଣ କଥା ହେଉଛି, ସୀମା ଆଖପାଖରେ ଯେଉଁ ରେଷ୍ଟୁରାଣ୍ଟଗୁଡ଼ିକ ଅଛି, ସେମାନେ ଏଠାରେ ‘ନୋ ଇଣ୍ଡିଆନ୍ସ ଆଲାଉଡ୍‌’ର ବୋର୍ଡ ଲଗାଇ ରଖିଛନ୍ତି।

ଝାନ୍‌ସିର ବାସିନ୍ଦା ଡକ୍ଟର ଏସଏସ ସିଂ, ଯିଏକି ବର୍ତ୍ତମାନ ମହୋବାସ୍ଥିତ ଏକ ରୟାଲ କଲେଜର ପ୍ରିନ୍ସିପାଲ୍, ତାଙ୍କ ପୁଅ ଅଖିଲ ୟୁକ୍ରେନରେ ଜଣେ ଡାକ୍ତରୀ ଛାତ୍ର। ହଜାର ହଜାର ପିଲାଙ୍କ ପରି ସେ ମଧ୍ୟ ରୋମାନିଆ ସୀମାରେ ଫସି ରହିଛି। କଥାବାର୍ତ୍ତାରେ ଅଖିଲ କହିଛନ୍ତି କି, ତାଙ୍କର ଏକ ୧୫୦ ଜଣିଆ ଛାତ୍ର ଦଳ ବସ୍ ଯୋଗେ ରାତି ସାରା ଯାତ୍ରା କରି ରୋମାନିଆରେ ପହଞ୍ଚିଛନ୍ତି। ସୀମା ପର୍ଯ୍ୟନ୍ତ ପାଖାପାଖି ୧୦ କିଲୋମିଟର ସେମାନେ ଚାଲି ଚାଲି ଯାତ୍ରା କରିଥିଲେ। ଏଠାରେ ସକାଳ ୭ଟାରେ ସୀମା ଖୋଲା ଯାଇଥିଲା, ତ ମାତ୍ର ୬୦-୭୦ ଜଣ ପିଲାଙ୍କୁ ଭିତରକୁ ଅଣା ଯାଇଥିଲା ଏବଂ ପୁଣି ସୀମା ବନ୍ଦ ହୋଇଯାଇଥିଲା।

କୁହାଯାଇଥିଲା ଯେ ସନ୍ଧ୍ୟା ୪-୫ଟା ବେଳେ ପୁଣିଥରେ ବର୍ଡର ଖୋଲିବ। ସବୁଠୁ ବଡ଼ ସମସ୍ୟା ହେଉଛି, କେତେବେଳେ କେତେ ପିଲାଙ୍କୁ ସୀମା ପାର କରାଯିବ, ସେ ନେଇ କୌଣସି ରୋଷ୍ଟର କିମ୍ବା କାର୍ଯ୍ୟସୂଚୀ ସ୍ଥିର କରାଯାଇ ନାହିଁ। ଏବେ ମଧ୍ୟ ପାଖାପାଖି ୬ ହଜାର ପିଲା ଏଠି ଫସି ରହିଛନ୍ତି। ଅଖିଲ କହିଛନ୍ତି ଯେ ସେମାନଙ୍କ ପାଖରେ ଖାଇବା ପାଇଁ ବିସ୍କୁଟ ଏବଂ ଅଳ୍ପ କିଛି ପ୍ୟାକେଜ୍ ଖାଦ୍ୟ ରହିଛି। ହେଲେ ଖାଦ୍ୟର କୌଣସି ବ୍ୟବସ୍ଥା ନାହିଁ। ଦୁର୍ଭାଗ୍ୟପୂର୍ଣ୍ଣ କଥା ହେଉଛି, ଯଦି ଜଣେ ଭାରତୀୟ ସେଠାରେ ଥିବା ଏକ ରେଷ୍ଟୁରାଣ୍ଟ ଯାଇ ଖାଦ୍ୟ ଖାଇବାକୁ ଚାହୁଁଛି, ତ ତାଙ୍କୁ ‘ନୋ ଇଣ୍ଡିଆନ୍ସ ଆଲାଉଡ୍‌’ ସାଇନ୍ ବୋର୍ଡ ସହିତ ସ୍ୱାଗତ କରାଯାଉଛି।

ରୋମାନିଆରେ ଦିନର ତାପମାତ୍ରା ୨-୩ ଡିଗ୍ରୀ ରହୁଥିବା ବେଳେ ରାତିରେ ମାଇନସରେ ପହଞ୍ଚି ଯାଉଛି। ଏଭଳି ପରିସ୍ଥିତିରେ ସୀମା ଆଖପାଖରେ ଟେଣ୍ଟ ଆଦିର କୌଣସି ବ୍ୟବସ୍ଥା ନାହିଁ। ଏପରି କି, କୌଣସି ଆଶ୍ରୟସ୍ଥଳୀ ବି ନାହିଁ, ଯେଉଁଠି ପିଲାମାନେ ରାତି ବିତାଇ ପାରିବେ। ଶୀତ ରାତିରେ ଖୋଲା ଆକାଶ ତଳେ ରହିବା ଛଡା ସେମାନଙ୍କ ପାଖରେ କୌଣସି ଅନ୍ୟ ବିକଳ୍ପ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.