ରାଜସ୍ଥାନର ଜୈସଲମେରସ୍ଥିତ ପୋଖରନ୍ ଫିଲ୍ଡ ଫାୟାରିଂ ରେଞ୍ଜରେ ଏକ ବଡ଼ ଦୁର୍ଘଟଣା ଘଟିଛି । ବିଏସ୍ଏଫ୍ର ଫାୟାରିଂ ଅଭ୍ୟାସ ସମୟରେ ହଠାତ୍ ଏକ ୫୧ ମିଲିମିଟର ମୋର୍ଟାର ବୋମା ବିସ୍ଫୋରଣ ହୋଇଥିଲା । ଏହା ସଂସ୍ପର୍ଶରେ ଆସି ୩ ଜଣ ଟ୍ରେନି ଯବାନ ଆହତ ହୋଇଛନ୍ତି । ତେବେ ସମସ୍ତେ ବର୍ତ୍ତମାନ ବିପଦମୁକ୍ତ ଥିବା ଜଣାପଡ଼ିଛି । ଏବେ ସେନା ତରଫରୁ କୌଣସି ଅଧିକ ସୂଚନା ସାମ୍ନାକୁ ଆସିନାହିଁ ।
ଏହାପୂର୍ବରୁ ୨୦୧୬ ଏବଂ ୨୦୧୭ ମସିହାରେ ରାଜସ୍ଥାନର କିଶାନଗଡ ଫିଲ୍ଡ ଫାୟାରିଂ ରେଞ୍ଜରେ ମୋର୍ଟାର ଫାଟିଥିଲା । ସେତେବେଳେ ମଧ୍ୟ ଅନେକ ଯବାନ ଆହତ ହୋଇଥିଲେ । ୨୦୧୭ରେ ଦୁଇଥର ବିସ୍ଫୋରଣ ହୋଇଥିବା ବେଳେ ୯ ଜଣ ଯବାନ ଏଥିରେ ଆହତ ହୋଇଥିଲେ । ୨୦୧୬ରେ ତିନିଥର ବିସ୍ଫୋରଣ ହୋଇଥିଲା ଏବଂ ୨୦୧୨ରେ ମଧ୍ୟ ମୋର୍ଟାର ବିସ୍ଫୋରଣରେ ୪ ଜଣ ଯବାନ ଆହତ ହୋଇଥିଲେ ।
୧୯୮୮ରେ ପ୍ରଥମେ ବ୍ରିଟିଶ ସେନାରେ ୫୧ ମିଲିମିଟର ମୋର୍ଟାର ଆସିଥିଲା । ଏହାପରେ ଏହାକୁ ଅନେକ ଦେଶର ସେନା ନେଇଥିଲେ । ଏହା ହାଲୁକା ଏବଂ କୌଣସି ବି ସ୍ଥାନକୁ ସହଜରେ ନିଆଯାଇପାରିବ । ବ୍ରିଟେନ ଏହାକୁ ୨୦୦୭ ପର୍ଯ୍ୟନ୍ତ ବ୍ୟବହାର କରିଥିଲା ।
ଏହାର ସମ୍ପୂର୍ଣ୍ଣ ଲଞ୍ଚରର ଓଜନ ୬.୨୫ କିଲୋଗ୍ରାମ । ବ୍ୟାରେଲର ଲମ୍ବ ୨୮ ଇଞ୍ଚ । ଏହି ମୋର୍ଟାରରୁ ଚଳାଯାଉଥିବା ବୋମାର ରେଞ୍ଜ ହେଉଛି ୭୫୦ ମିଟର । ୧ ମିନିଟରେ ସର୍ବାଧିକ ୮ଟି ବୋମା ଫିଙ୍ଗା ଯାଇପାରିବ ଏବଂ ଏଥିରୁ ତିନି ପ୍ରକାରର ବୋମା ଫିଙ୍ଗି ହେବ ।