୫ ପିଲାର ମା’ ପ୍ରେମିକ ସହ ହୋଇଗଲା ଫେରାର୍‌, ରାଗରେ ଘରେ ନିଆଁ ଲଗାଇ ଦେଲା ସ୍ୱାମୀ

ଉତ୍ତର ପ୍ରଦେଶର ବାନ୍ଦାରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଏଠାରେ ୫ ପିଲାର ମା’ ନିଜ ପ୍ରେମିକ ସହିତ ଫେରାର୍‌ ହୋଇଯାଇଛି । ଘଟଣା ସାମ୍ନାକୁ ଆସିବା ପରେ ମହିଳାଙ୍କ ସ୍ୱାମୀ ଖୁବ୍‌ ହଙ୍ଗାମା କରି ନିଜ ଘରେ ନିଆଁ ଲଗାଇ ଦେଇଛନ୍ତି । ମିଳିଥିବା ସୂଚନା ମୁତାବକ, ବାନ୍ଦା ଜନପଦରେ ଜଣେ ମହିଳା ନିଜର ୫ ପିଲାଙ୍କୁ ଛାଡ଼ି ପ୍ରେମିକ ସହିତ ଫେରାର୍‌ ହୋଇଯାଇଛନ୍ତି, ଯାହାପରେ ସ୍ୱାମୀ ରାଗିଯାଇ ଘରେ ଏଭଳି କାଣ୍ଡ ଘଟାଇଛନ୍ତି ।

ଖବର ପାଇ ପୋଲିସ ପହଞ୍ଚି ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲା ଏବଂ ଘର ଭିତରୁ ପିଲାମାନଙ୍କୁ ଉଦ୍ଧାର କରିଥିଲା । ଏଠାକାର ବାସିନ୍ଦା କୁଲୁଙ୍କ ଘରେ ବିଳମ୍ବିତ ରାତି ପ୍ରାୟ ୨ଟାରେ ନିଆଁ ଲାଗିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏ ନେଇ ସେମାନେ ପୋଲିସକୁ ଖବର ଦେଇଥିଲେ । ଯେତେବେଳେ ପୋଲିସ ପୀଡ଼ିତଙ୍କ ସହ କଥା ହୋଇଥିଲା, ପୀଡ଼ିତ ଜଣକ ସବୁକିଛି ଜଳିଯାଇଥିବା କହି ପୋଲିସକୁ ଆସିବାକୁ ମନା କରିଦେଇଥିଲେ । ତଥାପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲା ।

ପୋଲିସର କହିବା ହେଲା, ଏକ କଚ୍ଚା ଘରେ ନିଆଁ ଲାଗିଥିଲା ଏବଂ କେହି ମଧ୍ୟ ନିଆଁକୁ ଲିଭାଉ ନ ଥିଲେ । କୁଲୁଙ୍କ ୫ ପିଲା ଏବଂ ତାଙ୍କ ମା’ ଘର ଭିତରେ ଥିଲେ । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ରାସ୍ତା ପାର୍ଶ୍ୱରେ ଥିବା ନିଜ ଘରେ କୁଲୁ ବିଳମ୍ବିିତ ରାତିରେ ନିଆଁ ଲଗାଇ ଦେଇଥିଲେ ।

ଯେତେବେଳେ ପୋଲିସ ଏ ସମ୍ପର୍କରେ କୁଲୁଙ୍କୁ ପଚାରିଥିଲା, ସେ କହିଥିଲେ ଯେ ତାଙ୍କ ସ୍ତ୍ରୀ ପଡ଼ୋଶୀ ଗାଁର ଜଣେ ବ୍ୟକ୍ତିଙ୍କ ସହ ପଳାଇ ଯାଇଛନ୍ତି । ସ୍ତ୍ରୀ ଫେରାର୍‌ ହୋଇଯିବା କରଣରୁ ସ୍ୱାମୀ ଜଣକ ରାଗିଯାଇ ଘରେ ନିଆଁ ଲଗାଇ ଦେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।