ରାଜସ୍ଥାନ ବାଡ଼ମେର ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ମା’ ନିଜ ୪ ଛୁଆଙ୍କୁ ପାଣି ଟାଙ୍କିରେ ପକାଇବା ଭଳି ଘଟଣା ସାମ୍ନାକୁ ଆସିଛି । ପରେ ନିଜେ ବି ପାଣି ଟାଙ୍କିକୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ କରିଥିଲେ । ଏହି ଘଟଣାରେ ୪ ପିଲା ପାଣିରେ ବୁଡ଼ି ସେମାନଙ୍କ ଜୀବନ ଯାଇଛି । କିନ୍ତୁ ମହିଳାଙ୍କୁ ଉଦ୍ଧାର କରାଯାଇଛି । ଘଟଣାର ଖବର ପାଇବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପୋଲିସ ଦେଇଥିବା ସୂଚନା ଅନୁସାରେ ବାଡ଼ମେର ଜିଲ୍ଲାର ଧନେ ଅଞ୍ଚଳର ତଲା ଗାଁରେ ଜଣେ ମହିଳା ନିଜ ୪ ଛୁଆଙ୍କୁ ପାଣି ଟାଙ୍କିରେ ଫୋପାଡ଼ି ଦେଇଥିଲେ । ପରେ ନିଜେ ବି ଟାଙ୍କିକୁ ଡେଇଁ ପଡ଼ିଥିଲେ । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ପାରିବାରିକ କଳହ ପାଇଁ ମହିଳା ଜଣଙ୍କ ଏପରି କାଣ୍ଡ କରିଛନ୍ତି ।
ବାଡ଼ମେର ପୋଲିସ ଅଧିକ୍ଷକ ନରେନ୍ଦ୍ର ସିଂ ମୀଣାଙ୍କ କହିବା ଅନୁସାରେ ଉକ୍ତ ମହିଳାଙ୍କର ବର୍ତ୍ତମାନ ଚିକିତ୍ସା ଚାଲିଛି । କିନ୍ତୁ ୪ ଜଣ ଛୁଆଙ୍କ ଜୀବନ ଚାଲିଯାଇଛି । ମହିଳା ଜଣଙ୍କ ଏମିତି କାହିଁକି କଲେ ସେ ବିଷୟରେ ମହିଳାଙ୍କୁ ପଚରାଯିବ । ଟାଙ୍କିରେ ପଡ଼ି ମୃତ୍ୟୁବରଣ କରିଥିବା ପିଲାମାନଙ୍କ ବୟସ ୫ରୁ ୧୧ ବର୍ଷ ବୋଲି କୁହାଯାଉଛି । ମହିଳାଙ୍କ ସ୍ୱାମୀ ଶ୍ରମିକ ଭାବେ କାମ କରନ୍ତି ବୋଲି ସୂଚନା ରହିଛି ।