ଇଟାଭାଟିରେ ବିସ୍ଫୋରଣ: ୮ ମୃତ, ମୃତକଙ୍କ ପରିବାରକୁ ୨ ଲକ୍ଷ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ବିହାରର ମୋତିହାରି ଜିଲ୍ଲାରେ ଥିବା ଇଟାଭାଟିରେ ଭୟଙ୍କର ବିସ୍ଫୋରଣ। ଇଟାଭାଟିର ଚିମନିରେ ବିସ୍ଫୋରଣ ଘଟି ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣକରୁ ଅଧିକ ଆହତ ହୋଇଛନ୍ତି। ରାମଗଢଓ୍ଵାର ନାରୀରାଗିର ଗାଁରେ ଏଭଳି ଘଟଣା ଘଟିଛି। ଚିମନି ତଳେ ଚାପି ହୋଇଥିବା ଲୋକଙ୍କୁ ଉଦ୍ଧାର କରିବାରେ ବାଧା ସାଜିଛି ଘନ କୁହୁଡି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରି ସହାୟତା ଦେବାକୁ ଘୋଷଣା କରିଛନ୍ତି ।

ବିହାରର ମୋତିହାରି ରାମଗଢଓ୍ଵାର ନାରୀରାଗିର ଇଟା ଭାଟିରେ ଏହି ଦୁର୍ଘଟଣା ଘଟିଛି। ଇଟାଭାଟି ଭିତରେ କିଛି ଶ୍ରମିକ କାମ କରୁଥିବା ବେଳେ ହଠାତ୍ ଚିମନି ଫାଟି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ରକ୍ସୌଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ଇଟାଭାଟି ମାଲିକଙ୍କ ମୃତ୍ୟୁ ହୋଇଛି ।

ସେପଟେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ ପୋଲିସ ଓ ଅଧିକାରୀଙ୍କ ଏକ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଇଟା ଭାଟି ତଳେ ଏବେବି ୧୨ରୁ ଅଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଘନ କୁହୁଡି ଯୋଗୁଁ ସେମାନଙ୍କୁ ଉଦ୍ଧାର କରିବାରେ ବିଳମ୍ବ ହେଉଛି।

ତେବେ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିବା ସହିତ ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ଟ୍ଵିଟ୍‌ କରାଯାଇଛି। ଯେଉଁଥିରେ ଲେଖାଯାଇଛି, ମୋତିହାରିରେ ହୋଇଥିବା ଦୁର୍ଘଟଣା ପାଇଁ ମୋଦି ଦୁଃଖିତ ଥିବା ବେଳେ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଆହତଙ୍କ ସୁସ୍ଥ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ରିଲିଫ ଫାଣ୍ଠିରୁ ମୃତକଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like