କରୋନାର ଚିକିତ୍ସା ପାଇଁ ୮ ମାସରେ ଖର୍ଚ୍ଚ ହେଲା ୮ କୋଟି ଟଙ୍କା, ବିକିଲେ ୫୦ ଏକର ଜମି; ତଥାପି ବଞ୍ଚିଲାନି ଜୀବନ

ଦେଶରେ କରୋନା ଭାଇରସ୍‌ର ସଂକ୍ରମଣ ଲଗାତାର ବଢ଼ି ଚାଲିଛି। ଇତି ମଧ୍ୟରେ ମଧ୍ୟ ପ୍ରଦେଶର ରୀବାରୁ ଏକ କଷ୍ଟଦାୟକ ଘଟଣା ସାମ୍ନାକୁ ଆସିଛି। ଏଠାରେ ୮ ମାସ ପୂର୍ବରୁ କରୋନା ସଂକ୍ରମିତ ହୋଇଥିବା ଜଣେ ଚାଷୀଙ୍କ ଚିକିତ୍ସାରେ ୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା, ତଥାପି ତାଙ୍କ ଜୀବନ ବଞ୍ଚିପାରିନାହିଁ।

ଚେନ୍ନାଇର ଆପୋଲୋ ହସ୍ପିଟାଲରେ ୮ ମାସ ଧରି ଚିକିତ୍ସାଧୀନ ରହିବା ପରେ ଚାଷୀ ଧର୍ମଜୟ ସିଂହଙ୍କର ମଙ୍ଗଳବାର ରାତିରେ କରୋନାରେ ମୃତ୍ୟୁ ଘଟିଛି। ୫୦ ବର୍ଷୀୟ ଚାଷୀ ଧର୍ମଜୟ ସିଂହ ମେ ୨୦୨୧ରେ କରୋନା ସଂକ୍ରମିତ ହୋଇଥିଲେ। କରୋନା ସଂକ୍ରମିତ ହେବା ପରେ ଧର୍ମଜୟ ସିଂହଙ୍କୁ ପ୍ରଥମେ ରୀବାର ସଞ୍ଜୟ ଗାନ୍ଧୀ ହସ୍ପିଟାଲରେ ଆଡମିଟ୍‌ କରାଯାଇଥିଲା।

ସେଠାରେ ଯାଞ୍ଚ ପରେ ଜଣାପଡ଼ିଥିଲା ଯେ ତାଙ୍କ ଫୁସ୍‌ଫୁସ୍‌ ସଂକ୍ରମଣ ବଢ଼ିଯାଇଛି। ଏଣୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ସୁବିଧା ନଥିବାରୁ ତାଙ୍କୁ ୧୮ ମେ’ ୨୦୨୧ରେ ଏୟାର ଲିଫ୍ଟ କରାଯାଇ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଆଡମିଟ୍‌ କରାଯାଇଥିଲା। ସେଠାରେ ଲଣ୍ଡନ୍‌ର ଡାକ୍ତର ତାଙ୍କ ଚିକିତ୍ସା କରୁଥିଲେ।

ରିପୋର୍ଟ ମୁତାବକ, ହସ୍‌ପିଟାଲରେ ଆଡମିଟ୍‌ ହେବା ପରେ ଧର୍ମଜୟ ସିଂହଙ୍କ ଅବସ୍ଥା ଗୁରୁତର ହେବାରେ ଲାଗିଥିଲା। ଦୀର୍ଘ ୮ ମାସ ଧରି ତାଙ୍କ ଚିକିତ୍ସା ଚାଲିଲା ଓ ଏହି ସମୟରେ ତାଙ୍କୁ ଇକ୍‌ମୋ ମେସିନ୍‌ରେ ରଖାଯାଇଥିଲା। ଏହି ସମୟରେ ପ୍ରତିଦିନ ତାଙ୍କ ପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା। ସୂଚନାଯୋଗ୍ୟ ଯେ, ଭେଣ୍ଟିଲେଟର ଫେଲ୍‌ ହେବା ପରେ ରୋଗୀଙ୍କୁ ଇକ୍‌ମୋ ମେସିନ୍‌ରେ ରଖାଯାଇଥିଲା। ଏହି ମେସିନ୍‌ରେ ରକ୍ତକୁ ବାହାରକୁ ବାହାର କରି ଅକ୍ସିଡାଇଜେସନ୍‌ କରାଯାଏ ଓ ପୁଣି ଥରେ ରକ୍ତକୁ ଶରୀରକୁ ଛଡ଼ାଯାଏ।

ଧର୍ମଜୟଙ୍କ ବଡ଼ ଭାଇ ପ୍ରଦୀପ ସିଂଙ୍କ କହିବାନୁସାରେ, ତାଙ୍କ ଭାଇଙ୍କ ଚିକିତ୍ସାରେ ପାଖାପାଖି ୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିପାଇଁ ସେ ୫୦ ଏକର ଜମି ବିକ୍ରି କରିଛନ୍ତି। ଧର୍ମ ଜୟଙ୍କ ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା। କିନ୍ତୁ ତାଙ୍କ ଚିକିତ୍ସାରେ ପ୍ରତିଦିନ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏଣୁ ଏହା ସମୁଦ୍ରେକୁ ଶଙ୍ଖେ ଭଳି ଥିଲା ବୋଲି କହିଛନ୍ତି ପ୍ରଦୀପ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.