ବାଂଲାଦେଶରେ ହସିନା ସରକାର ଯିବା ପରେ ଅନ୍ତରୀଣ ସରକାର ଗଠନ ହୋଇଛି । କିନ୍ତୁ ପଡ଼ୋଶୀ ଦେଶରେ ସଂଖ୍ୟାଲଘୁ, ବିଶେଷ କରି ହିନ୍ଦୁମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଭାରତ ସରକାର ଅନେକ ଥର ହିନ୍ଦୁମାନଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇଛନ୍ତି । ଏହାରି ମଧ୍ୟରେ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କଲ୍ କରି ହିନ୍ଦୁମାନଙ୍କ ସୁରକ୍ଷା ନେଇ ଆଶ୍ୱସନା ଦେଇଛନ୍ତି ।
ପିଏମ୍ ମୋଦି ‘ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି, ‘ପ୍ରଫେସର ମହମ୍ମଦ ୟୁନୁସଙ୍କ ସହ ଟେଲିଫୋନରେ କଥା ହେଲି । ବାଂଲାଦେଶର ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ବର୍ତ୍ତମାନର ସ୍ଥିତି ଉପରେ ମତ ବିନିମୟ କଲେ । ଗଣତାନ୍ତ୍ରିକ, ସ୍ଥିର, ଶାନ୍ତିପୂର୍ଣ୍ଣ ତଥା ପ୍ରଗତିଶୀଳ ବାଂଲାଦେଶ ପାଇଁ ଭାରତର ସମର୍ଥନକୁ ମୁଁ ଦୋହରାଇଲି । ବାଂଲାଦେଶରେ ହିନ୍ଦୁ ଏବଂ ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷାକୁ ସେ ସୁନିଶ୍ଚିତ କରିଛନ୍ତି’ ।
କହି ରଖୁଛୁ, ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ଲାଲ୍କିଲ୍ଲାରୁ ନିଜ ଅଭିଭାଷଣ ସମୟରେ ପ୍ରଧାନମନ୍ତ୍ରୀ ମୋଦି ବାଂଲାଦେଶରେ ଘଟିଥିବା ଘଟଣା ବିଷୟରେ ଗୁରୁତ୍ୱାରୋପ କରିଥିଲେ ଏବଂ ପରିସ୍ଥିତିକୁ ଚିନ୍ତାଜନକ ବୋଲି କହିଥିଲେ । ମୋଦି କହିଥିଲେ ଯେ ବାଂଲାଦେଶରେ ଯାହା କିଛି ଘଟିଛି, ପଡୋଶୀ ଦେଶ ଭାବରେ ଆମେ ସେଥିପାଇଁ ଚିନ୍ତିତ । ମୁଁ ଆଶା କରୁଛି ସେଠାରେ ପରିସ୍ଥିତି ଶୀଘ୍ର ସ୍ୱାଭାବିକ ହେବ ।