ବାଂଲାଦେଶର ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ମଙ୍ଗଳବାର ଢାକେଶ୍ୱରୀ ମନ୍ଦିରରେ ପହଞ୍ଚିଥିଲେ । ଏଠାରେ ପହଞ୍ଚିବା ପରେ ସେ ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କୁ ଭେଟିଥିଲେ । ଏହି ସମୟରେ ସଂଖ୍ୟାଲଘୁ ଅଧିକାର ଆନ୍ଦୋଳନର ଏକ ପାଞ୍ଚ ଜଣିଆ ପ୍ରତିନିଧି ମଣ୍ଡଳୀ ମହମ୍ମଦ ୟୁନୁସଙ୍କୁ ଭେଟିଥିଲେ । ଏହିପରି ଛାତ୍ରମାନେ ୟୁନୁସଙ୍କ ଆଗରେ ୮ ସୂତ୍ରୀୟ ଦାବି ରଖିଥିଲେ ।
ମହମ୍ମଦ ୟୁନୁସ ଢାକେଶ୍ୱରୀ ମନ୍ଦିରରେ କହିଛନ୍ତି ଯେ ଦେଶକୁ ସଙ୍କଟ ସ୍ଥିତିରୁ ବାହାର କରିବା ପାଇଁ ଲୋକଙ୍କୁ ବିଭାଜନ ପରିବର୍ତ୍ତେ ଏକଜୁଟ ହେବାକୁ ପଡ଼ିବ । ଏଭଳି ଚ୍ୟାଲେଞ୍ଜପୂର୍ଣ୍ଣ ସ୍ଥିତିରେ ସମସ୍ତେ ଧୈର୍ଯ୍ୟ ଧରି ରହିବା ଉଚିତ୍ ।
ସେ ଆହୁରି କହିଛନ୍ତି, ଆମେ ଏପରି ବାଂଲାଦେଶ ସୃଷ୍ଟି କରିବାକୁ ଚାହୁଁଛୁ, ଯାହା ଗୋଟିଏ ପରିବାର ପରି ରହିବ । ପରିବାର ମଧ୍ୟରେ ଭେଦଭାବ ଓ ଝଗଡ଼ା ହେବାର ପ୍ରଶ୍ନ ଉଠେ ନାହିଁ । ଆଇନ ସମସ୍ତଙ୍କ ପାଇଁ ସମାନ । ଆମ ସମାଜରେ ଏହି ପ୍ରକାରର ଭେଦଭାବର ଆବଶ୍ୟକ ନାହିଁ । ଆମକୁ ଏହାକୁ ସଜାଡ଼ିବାକୁ ପଡ଼ିବ । ରୋଗକୁ ମୂଳରୁ ନାଶ କରିବାକୁ ହେବ । ଏହି ସମୟରେ ସେ ଜାତି, ଧର୍ମ ଆଧାରରେ ଭେଦଭାବ ନ କରିବାକୁ ନିବେଦନ କରିଥିଲେ ।
ସୂଚନାଥାଉ କି, ବାଂଲାଦେଶରେ ସଂରକ୍ଷଣ ବିରୋଧରେ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିବା ପରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଇସ୍ତଫା ଦେବା ପରେ ହସିନା ଭାରତ ଆସିଥିଲେ । ଏବେ ସେ ଭାରତରେ ଅଛନ୍ତି । ତାଙ୍କୁ ଭାରତ ସରକାରଙ୍କ ତରଫରୁ ସୁରକ୍ଷା ଦିଆଯାଇଛି ।