ଭାରତର ସବୁଠାରୁ ଧନୀ ମୁକେଶ ଅମ୍ବାନୀ ଦେଶର ପ୍ରଥମ ‘ବୋଇଙ୍ଗ୍ 737 MAX 9’ କିଣିଛନ୍ତି । ଏହି ଅଲଟ୍ରା ଲଙ୍ଗ୍ ରେଞ୍ଜ ବିଜନେସ୍ ଜେଟ୍ର ଦାମ୍ ପାଖାପାଖି ୧୦୦୦ କୋଟି ଟଙ୍କା । ଏହା ବ୍ୟତୀତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପାଖରେ ରହିଛି ଆହୁରି ୯ଟି ପ୍ରାଇଭେଟ୍ ଜେଟ୍ର ଭଣ୍ଡାର । ନିକଟରେ ଅନେକ ପରିବର୍ତ୍ତନ ଏବଂ ଉଡ଼ାଣ ପରୀକ୍ଷଣ ପରେ ଭାରତରେ ଡେଲିଭର ହୋଇଛି ବୋଇଙ୍ଗ୍ 737 MAX 9 ।
ବର୍ତ୍ତମାନ ମୁକେଶ ଅମ୍ବାନୀଙ୍କ ବ୍ୟକ୍ତିଗତ ଜାହାଜର ଅଂଶ ହୋଇଛି ବୋଇଙ୍ଗ 737 MAX 9 । ବିତରଣ ପୂର୍ବରୁ ସ୍ୱିଜରଲାଣ୍ଡର ୟୁରୋ ଏୟାରପୋର୍ଟ ବେସେଲ-ମୁଲହାଉସ-ଫ୍ରିବର୍ଗ (ବିଏସଏଲ)ରେ ଏହାର କ୍ୟାବିନ ପରିବର୍ତ୍ତନ ସହ ଇଣ୍ଟେରିୟର ଅପଗ୍ରେଡ କରାଯାଇଥିଲା ।
୨୦୨୩ ଏପ୍ରିଲ୍ ୧୩ରୁ ଏହି ଜେଟ ସ୍ୱିସ୍ ସୁବିଧାରେ ଥିଲା । ଭାରତକୁ ଡେଲିଭର ହେବା ପୂର୍ବରୁ ଏହା ବେସେଲ, ଜିନେଭା ଏବଂ ଲଣ୍ଡନ ଲ୍ୟୁଟନ୍ ବିମାନବନ୍ଦର ମଧ୍ୟରେ ୬ଟି ପରୀକ୍ଷଣ ଉଡ଼ାଣ ଶେଷ କରିଥିଲା ।
ବେସେଲରୁ ଦିଲ୍ଲୀକୁ ଅନ୍ତିମ ଉଡ଼ାଣ ୨୦୨୪ ଅଗଷ୍ଟ ୨୭ରେ ହୋଇଥିଲା । ମୋଟ ୯ ଘଣ୍ଟାରୁ ଅଧିକ ସମୟର ଏହା ଯାତ୍ରା ଥିଲା ଏବଂ ଦୂରତା ଥିଲା ୬,୨୩୪ କିଲୋମିଟର । ବୋଇଙ୍ଗ 737 MAX 9 ଅଗଷ୍ଟ ୨୮ରେ ଦିଲ୍ଲୀରେ ପହଞ୍ଚିଥିଲା । ବର୍ତ୍ତମାନ ଏହି ଜେଟ୍ ଦିଲ୍ଲୀ ବିମାନବନ୍ଦରର କାର୍ଗୋ ଟର୍ମିନାଲ ନିକଟସ୍ଥ ଏକ ରକ୍ଷଣାବେକ୍ଷଣା ଆପ୍ରୋନରେ ରହିଛି । କିଛି ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବହୁତ ଜଲ୍ଦି ଜେଟ୍ ମୁମ୍ବାଇ ଅଭିମୁଖେ ଯିବ, ଯେଉଁଠାରେ ରହିଛି ରିଲାଏନ୍ସର ମୁଖ୍ୟାଳୟ ।
ଦୁନିଆର ସବୁଠାରୁ ମହଙ୍ଗା ଜେଟ୍ ମଧ୍ୟରୁ ବୋଇଙ୍ଗ 737 MAX 9 ଅନ୍ୟତମ । ଏହା ଦୁଇଟି CFMI LEAP-1B ଇଞ୍ଜିନ୍ ଦ୍ୱାରା ସଞ୍ଚାଳିତ । ଏହି ଜେଟ୍ ଗୋଟିଏ ଯାତ୍ରାରେ ୬,୩୫୫ ସାମୁଦ୍ରିକ ଦୂରତା (୧୧,୭୭୦ କିଲୋମିଟର) ଅତିକ୍ରମ କରିପାରିବ । ଜେଟ୍ର ବେସ୍ ଦାମ୍ ରହିଛି ୧୧୮.୫ ମିଲିୟନ ଡଲାର । ରିପୋର୍ଟ ମୁତାବକ, ଅମ୍ବାନୀ ପରିବାର ଏହା ଉପରେ ୧୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥାଇ ପାରନ୍ତି ।