ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ଯମଜ ଶିଶୁଙ୍କ ମା’ ହେଲେ, ଦୁଇ ପରିବାରରେ ଖୁସିର ଲହରି

ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କ ଘରେ ଯାଆଁଳା ଶିଶୁ ଜନ୍ମ ହୋଇଛନ୍ତି। ଇଶା ଯମଜ ଶିଶୁଙ୍କ ମା’ ହୋଇଛନ୍ତି। ଅମ୍ବାନୀ ଏବଂ ପିରାମଲ ପରିବାର ତରଫରୁ ସୂଚନା ଜାରି କରାଯାଇ କୁହାଯାଇଛି ଯେ ଇଶା ଅମ୍ବାନୀ ୧୯ ନଭେମ୍ବର, ୨୦୨୨ରେ ଯାଆଁଳା ଶିଶୁ ଜନ୍ମ ଦେଇଛନ୍ତି, ଯେଉଁଥିରେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି।

ଗଣମାଧ୍ୟମ ବୟାନରେ ସୂଚନା ଦିଆଯାଇଛି ଯେ ଇଶା ଓ ଆନନ୍ଦ ପିରାମଲଙ୍କର ଟ୍ଵିନ୍ସ ହୋଇଛନ୍ତି ଏବଂ ମା’ ଇଶାଙ୍କ ସହିତ ତାଙ୍କର ଦୁଇ ଶିଶୁ ସୁସ୍ଥ ଅଛନ୍ତି। ପୁଅର ନାମ କୃଷ୍ଣା ଏବଂ ଝିଅର ନାମ ଆଦିୟା ବୋଲି କୁହାଯାଇଛି ଏବଂ ସେମାନେ ଦୁହେଁ ସୁସ୍ଥ ଅଛନ୍ତି।

ମୁକେଶ ଓ ନୀତା ଅମ୍ବାନୀଙ୍କ ସହ ଇଶା ଅମ୍ବାନୀଙ୍କ ସ୍ୱାମୀ ଆନନ୍ଦ ପିରାମଲଙ୍କ ମାଆବାପା ଅଜୟ ଓ ସ୍ୱାତୀ ପିରାମଲଙ୍କ ତରଫରୁ ଏ ନେଇ ଏକ ମିଳିତ ମିଡିଆ ଷ୍ଟେଟ୍‌ମେଣ୍ଟ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ‘ଯାଆଁଳା ଶିଶୁଙ୍କ ଆଗମନର ଘୋଷଣା କରି ସେମାନେ ଅତ୍ୟନ୍ତ ଆନନ୍ଦିତ ଏବଂ ସେମାନେ ସମସ୍ତଙ୍କଠାରୁ ଆଶୀର୍ବାଦ ଓ ଶୁଭକାମନା ଆଶା ରଖିଛନ୍ତି। ଏହା ସେମାନଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ’।

କହି ରଖୁଛୁ, ୨୦୧୮ରେ ଇଶା ଅମ୍ବାନୀଙ୍କ ବିବାହ ହେଲ୍ଥକେୟାର ବିଜନେସ୍‌ ଗ୍ରୁପ୍‌ ପିରାମଲର ମାଲିକ ଅଜୟ ପିରାମଲଙ୍କ ପୁଅ ଆନନ୍ଦ ପିରାମଲଙ୍କ ସହ ହୋଇଥିଲା। ତାଙ୍କର ବିବାହ ଦେଶର ସବୁଠାରୁ ମହଙ୍ଗା ବିବାହ ତାଲିକାରେ ସାମିଲ ରହିଛି, ଯେଉଁଥିରେ ଦେଶ, ବଲିଉଡ ଏବଂ ବିଶ୍ୱର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

ସୂଚନାଥାଉ କି, ମୁକେଶ ଅମ୍ବାନୀଙ୍କ ଏକମାତ୍ର ଝିଅ ଇଶା ଅମ୍ବାନୀଙ୍କୁ ନିକଟରେ ରିଲାଏନ୍ସ ରିଟେଲ ଭେଞ୍ଚର୍ସର ନିର୍ଦ୍ଦେଶକ କରାଯାଇଛି। ମୁକେଶ ଅମ୍ବାନୀଙ୍କ ତିନି ସନ୍ତାନଙ୍କ ମଧ୍ୟରେ ଇଶା ବଡ଼। ସେ ଆମେରିକାର ୟେଲ ୟୁନିଭର୍ସିଟିରୁ ସାଇକୋଲୋଜିରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଏଥି ସହିତ କାଲିଫର୍ନିଆର ଷ୍ଟାନଫୋର୍ଡରୁ ବିଜନେସ୍‌ରେ ଏମ୍‌ବିଏ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.