ଗୁଜରାଟ: ଅହମ୍ମଦାବାଦ-ରାଜକୋଟ୍ ରାଜପଥରେ ୪ ଟ୍ରକ୍ ମଧ୍ୟରେ ଧକ୍କା, ନିଆଁ ଲାଗିବାରୁ ୨ ଜଣଙ୍କ ମୃତ୍ୟୁ

ଗୁଜରାଟରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏଠାରେ ଅହମ୍ମଦାବାଦ-ରାଜକୋଟ ରାଜପଥରେ ୪ଟି ଟ୍ରକ୍ ମଧ୍ୟରେ ଜୋରଦାର୍ ଧକ୍କା ପରେ ଗାଡ଼ିଗୁଡ଼ିକରେ ନିଆଁ ଲାଗିଯାଇଥିଲା । ଫଳରେ ଏହା ସଂସ୍ପର୍ଶରେ ଆସି ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ବାୱଲା ଏବଂ ଭଡୋଦରା ମଝିରେ ଭମାସରା ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି ।

ମିଳିଥିବା ଖବର ମୁତାବକ, ଭଡୋଦରା ଆଡ଼କୁ କପଡ଼ା ନେଇ ଯାଉଥିବା ଏକ ଟ୍ରକର ଡ୍ରାଇଭର ବେପରୁଆ ଭାବରେ ଗାଡ଼ି ଚଲାଉଥିଲେ । ଏହାରି ମଧ୍ୟରେ ତାଙ୍କ ଗାଡ଼ି ଅନିୟନ୍ତ୍ରିତ ହୋଇ ରୋଡ୍ ଡିଭାଇଡର ସହ ଧକ୍କା ହୋଇଥିଲା । ଏହାପରେ ଗାଡ଼ିଟି ଅନ୍ୟ ପଟୁ ଆସୁଥିବା ତିନୋଟି ଟ୍ରକକୁ ଧକ୍କା ଦେଇଥିଲା ।

ପୋଲିସ ସୂଚନା ଅନୁସାରେ, ଅନିୟନ୍ତ୍ରିତ ଟ୍ରକ୍ ଅପର ପାର୍ଶ୍ୱକୁ ଯାଇ ବାୱଲା ଆଡ଼ୁ ଆସୁଥିବା ଏକ ଟ୍ରକ୍ ଏବଂ ଏହା ପଛରେ ଥିବା ଆଉ ଦୁଇଟି ଟ୍ରକ୍ ସହ ଜୋରଦାର୍ ଧକ୍କା ହୋଇଥିଲା । ଦୁଇଟି ଟ୍ରକରେ ଚାଉଳ ବସ୍ତା ଲଦା ହୋଇଥିବା ବେଳେ ଅନ୍ୟ ଟ୍ରକରେ ସିମେଣ୍ଟ ବୋଝେଇ ଥିଲା । ଏହି ୪ଟି ଟ୍ରକ୍ ମଧ୍ୟରେ ଧକ୍କା ପରେ ଭୟଙ୍କର ଭାବେ ନିଆଁ ଲାଗିଯାଇଥିଲା ।

ନିଆଁ ଲାଗିବା ପରେ ଏହା ସଂସ୍ପର୍ଶରେ ଆସି କପଡ଼ା ବୋଝେଇ ଟ୍ରକର ଡ୍ରାଇଭର ଏବଂ କ୍ୟାବିନରେ ବସିଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ଏଥିରେ ଅନ୍ୟ ଟ୍ରକର ଡ୍ରାଇଭର ଜିଗ୍ନେଶ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସ କହିଛି ଯେ ଏହି ଦୁର୍ଘଟଣାରେ କପଡ଼ା ରୋଲ୍ ବୋଝେଇ ଥିବା ଟ୍ରକଟି ସମ୍ପୂର୍ଣ୍ଣ ଜଳିଯାଇଥିଲା, ଯେଉଁ କାରଣରୁ ବାକି ତିନୋଟି ଟ୍ରକରେ ବି ନିଆଁ ଲାଗିଯାଇଥିଲା । ଖବର ପାଇ ପୋଲିସ, ଅଗ୍ନିଶମ ଏବଂ ଆମ୍ବୁଲାନ୍ସ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ବର୍ତ୍ତମାନ ପୋଲିସ ଏହି ଦୁର୍ଘଟଣାର ତଦନ୍ତ କରୁଛି ।