୬ ଘଣ୍ଟା ବିଳମ୍ବ ପରେ ବାତିଲ ହେଲା ମୁମ୍ବାଇ-ଦୋହା ଇଣ୍ଡିଗୋ ବିମାନ, ଏୟାରପୋର୍ଟରେ ଫସିଛନ୍ତି ୩୦୦ ଯାତ୍ରୀ

ମୁମ୍ବାଇ-ଦୋହା ଇଣ୍ଡିଗୋ ବିମାନ ବାତିଲ । ମୁମ୍ବାଇରୁ ଦୋହା ଯାଉଥିବା ଇଣ୍ଡିଗୋ ବିମାନ ୬ ଘଣ୍ଟା ବିଳମ୍ବ ହେବା ପରେ ଏହାକୁ ବାତିଲ କରି ଦିଆଯାଇଛି । ବିମାନରେ ପ୍ରାୟ ୩୦୦ ଯାତ୍ରୀ ଥିଲେ । ସମସ୍ତେ ବିମାନ ଭିତରେ ହିଁ ୬ ଘଣ୍ଟା ଧରି ଅପେକ୍ଷା କରି ବସିଥିଲେ ।

ରିପୋର୍ଟରୁ ଜଣାପଡ଼ିଛି ଯେ ଇଣ୍ଡିଗୋର ବିମାନ ନମ୍ବର 6E 1303 ରବିବାର ଭୋର୍‌ ୩ଟା ୫୫ ମିନିଟ୍‌ରେ ଟେକ୍‌ ଅଫ୍‌ କରିବାର ଥିଲା । ହେଲେ ଯାତ୍ରୀମାନେ ବସିବା ପରେ ବିମାନଟି ପାଖାପାଖି ୬ ଘଣ୍ଟା ଧରି ଏୟାରପୋର୍ଟରେ ଛିଡ଼ା ହୋଇ ରହିଥିଲା । ଫଳରେ ଯାତ୍ରୀମାନେ ୫ ଘଣ୍ଟା କାଳ ବିମାନ ଭିତରେ ହିଁ ବସି ରହିଥିଲେ । ଇମିଗ୍ରେସନ ଶେଷ ହେବା କାରଣରୁ ସେମାନଙ୍କୁ ଓହ୍ଲାଇବାକୁ ଦିଆଯାଇ ନ ଥିଲା ।

ଜଣେ ଯାତ୍ରୀ ଅଭିଯୋଗ ଆଣିଛନ୍ତି କି, ଆମେ ବିମାନ ଭିତରେ ଅପେକ୍ଷା କରି ରହିଥିବା ବେଳେ ଆମକୁ ଖାଦ୍ୟ, ପାଣି ସୁଦ୍ଧା ମିଳି ନ ଥିଲା । ଯଦିଓ ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ ଯାତ୍ରୀମାନଙ୍କୁ ତୁରନ୍ତ ରିଫ୍ରେଶମେଣ୍ଟ ଦିଆଯାଇଥିଲା । ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରୁ କ୍ରୁ ସଦସ୍ୟମାନେ ସେମାନଙ୍କୁ ବିମାନରୁ ଓହ୍ଲାଇବାକୁ ଅନୁମତି ଦେଇଥିଲେ । ଏହା ପରେ ଇମିଗ୍ରେସନ ୱେଟିଂ ଏରିଆକୁ ନିଆଯାଇଥିଲା ।

ଇଣ୍ଡିଗୋ କହିଛି ଯେ ବୈଷୟିକ ତ୍ରୁଟି କାରଣରୁ ମୁମ୍ବାଇ-ଦୋହା ବିମାନକୁ ବାତିଲ କରି ଦିଆଯାଇଛି । ଥରେ ଦୁଇ ଥର ଟେକ୍‌ ଅଫ୍‌ କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ସଫଳତା ମିଳି ନ ଥିଲା । ତେଣୁ ଆମେ ବିମାନକୁ କ୍ୟାନ୍ସଲ କରି ଦେଇଛୁ । ଆମ ଟିମ୍‌ ଯାତ୍ରୀମାନଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା ଉପଲବ୍ଧ କରାଇଛନ୍ତି । ପରବର୍ତ୍ତୀ ବିମାନ ପାଇଁ ରି-ବୁକିଙ୍ଗ୍‌ ସହ ଯାତ୍ରୀଙ୍କ ପାଇଁ ହୋଟେଲ ବୁକ୍‌ ମଧ୍ୟ କରାଯାଉଛି । ତେବେ ଏହି ବାତିଲ ଯୋଗୁ ଏୟାରଲାଇନ୍‌ ପକ୍ଷରୁ କ୍ଷମା ମଗାଯାଇଛି ।

You might also like