ଏକାନ୍ତରେ ସମୟ ବିତାଇବାକୁ ବୟଫ୍ରେଣ୍ଡକୁ ଘରର ଡୁପ୍ଲିକେଟ୍‌ ଚାବି ଦେଇଥିଲେ ଯୁବତୀ, କିନ୍ତୁ ୧୩ ଲକ୍ଷର ଚୋରି କରି ଚାଲିଗଲା ପ୍ରେମିକ

ପ୍ରେମର ପଥ ସହଜ ନୁହେଁ। ପ୍ରେମ କରୁଥିବା ବ୍ୟକ୍ତିଙ୍କୁ ସବୁବେଳେ କିଛି ନା କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। କେତେବେଳେ ପରିବାର ଲୋକ ପ୍ରେମକୁ ସ୍ୱୀକୃତି ଦେଉନଥିବା ବେଳେ ଆଉ କେତେବେଳେ ପ୍ରେମ କରୁଥିବା ବ୍ୟକ୍ତି ହିଁ ଧୋକା ଦେଇଥାଏ। ଏବେ ସେଭଳି ଏକ ମାମଲା ଦେଖିବାକୁ ମିଳିଛି ମୁମ୍ବାଇରେ। ଏଠାରେ ପ୍ରେମରେ ପାଗଳ ହୋଇ ଗାର୍ଲଫ୍ରେଣ୍ଡ ପ୍ରେମିକକୁ ତା’ଘର ଚାବି ଦେଇଥିଲା। କିନ୍ତୁ ବୟଫ୍ରେଣ୍ଡ ଆସି ଘରୁ ପ୍ରାୟ ୧୩ ଲକ୍ଷ ଟଙ୍କାର ଜିନିଷ ଚୋରି କରି ନେଇଯାଇଛି। ଯେତେବେଳେ ଏହି ଘଟଣା ଘଟିଲା ସେତେବେଳେ ଝିଅ ମଧ୍ୟ ଘରେ ନଥିଲା। ସେ ପରିବାର ଲୋକଙ୍କ ସହ ବୁଲିବାକୁ ଯାଇଥିଲେ। ସେ ନିଜ ଘରର ଡୁପ୍ଲିକେଟ୍‌ ଚାବି ବୟଫ୍ରେଣ୍ଡକୁ ଦେଇଥିଲା।

ରିପୋର୍ଟ ମୁତାବକ, ଝିଅଟି ବୟଫ୍ରେଣ୍ଡ ସହ ସମୟ ବିତାଇବାକୁ ଚାହୁଁଥିଲା। ଏଣୁ ଘର ଲୋକ ଟ୍ରିପ୍‌ରେ ଯିବା ପରେ ସେ ପ୍ରେମିକକୁ ଘରକୁ ଡାକିବାକୁ ତାକୁ ପୂର୍ବରୁ ହିଁ ଘରର ଚାବି ଦେଇଥିଲା। କିନ୍ତୁ ତା ବାପା ତାକୁ ଏକୁଟିଆ ଛାଡ଼ି ଯିବାକୁ ରାଜି ନଥିଲେ। ଏଣୁ ଝିଅକୁ ବି ବାଧ୍ୟ ହୋଇ ବାପାଙ୍କ ସହ ଯିବାକୁ ପଡ଼ିଥିଲା। ସେମାନେ ଜାନୁଆରୀ ୨୭ରେ ଫେରିବା ବେଳକୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରିବାର ଲୋକଙ୍କ କହିବାନୁସାରେ, ଝିଅର ବୟଫ୍ରେଣ୍ଡ ତାଙ୍କ ଘରୁ ପ୍ରାୟ ୧୩ ଲକ୍ଷ ଟଙ୍କାର ଜିନିଷ ଚୋରି କରି ନେଇଯାଇଛି। ଏନେଇ ସେମାନେ କୋଲାବା ପୋଲିସ ଷ୍ଟେସନ୍‌ରେ ମାମଲା ରୁଜୁ କରିଥିଲେ।

ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲେ ଯେ କେହି ବାହାର ଲୋକ ଘରେ ପଶି ଚୋରି କରିନାହିଁ। କାରଣ ତାଲା ଭଙ୍ଗା ଯାଇନଥିଲା। ପରେ ଝିଅ ପୋଲିସକୁ କହିଥିଲା ଯେ ସେ ବୟଫ୍ରେଣ୍ଡକୁ ଘରର ଡୁପ୍ଲିକେଟ୍‌ ଚାବି ଦେଇଥିଲା। ପୋଲିସ ଉକ୍ତ ଯୁବକକୁ ଡାକିବା ପଚାରିବାରୁ ସେ ସ୍ୱୀକାର କରିଥିଲା ଯେ ସେ ହିଁ ଚୋରି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.