ପିଚରେ ଧୂଆଁଧାର ବ୍ୟାଟିଂ କରୁଥିଲେ, ହେଲେ ଅଚାନକ ତଳେ ପଡିଗଲେ କ୍ରିକେଟର

ପିଚରେ ଧମାକେଦାର ବ୍ୟାଟିଂ କରୁଥିଲେ । ଛକା ଚଉକା ମାରୁଥିଲେ । ହେଲେ ଗୋଟେ ଛକା ମାରିବା ପରେ ଟଳିପଡିଲେ ଯୁବକ । ହଁ ଆଜ୍ଞା ପିଚରେ ଧୂଆଁଧାର ବ୍ୟାଟିଂ କରୁଥିବା ବେଳେ ଅଚାନକ ଟଳି ପଡ଼ିଛନ୍ତି ଜଣେ ଯୁବକ। କ୍ରିକେଟ୍ ଖେଳୁଥିବା ସମୟରେ ହଠାତ୍ ତାଙ୍କ ମୃତ୍ୟୁ ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ମହାରାଷ୍ଟ୍ରର ଥାନେର ମୀରା ରୋଡ଼ ଅଞ୍ଚଳରେ ଏପରି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ।

ଘଟଣା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍ ହେଉଛି। ଆଉ ଏହି ଭିଡିଓକୁ ଯିଏ ଦେଖୁଛି ସେ ଚକିତ ହେଉଛି । ଆଖି ପିଛୁଳାକେ କେମିତି ଦେହରୁ ଜୀବନ ଚାଲି ଯାଉଛି । ସେ ଚିତ୍ର ଯିଏ ଦେଖୁଛି ମନ ଭାରି ବ୍ୟଥିତ ହେଉଛି । ଏହି ଚିତ୍ରକୁ ଦେଖିବା ପରେ ନିଶ୍ଚିତ ଭାବେ ମନ ଦୁଃଖ ହୋଇଯାଉଛି, କେମିତି ଯୁବକ ଜଣଙ୍କ ଖେଳୁ ଖେଳୁ ଟଳି ପଡୁଛନ୍ତି ।

ଭାଇରାଲ ଭିଡିଓ ଅନୁସାରେ, ଗୋଲାପୀ ରଙ୍ଗର ଜର୍ସି ପିନ୍ଧିଥିବା ଜଣେ ଯୁବକ ବ୍ୟାଟିଂ କରୁଛନ୍ତି। ସେ ଏକ ଛକା ମାରିବା ପରେ ଦର୍ଶକ ତାଳି ମାରି ଉତ୍ସାହିତ କରୁଛନ୍ତି। ଏହି ସମୟରେ ହଠାତ୍ ଯୁବକ ଜଣକ ନିୟନ୍ତ୍ରଣ ହରାଇ ବସୁଥିବା ଦେଖିବାକୁ ମିଳୁଛି। ସେ ଛକା ମାରିବା ପରେ କାଶିଦେଉଥିବା ନଜର ଆସୁଛି । ତାପରେ ବ୍ୟାଟ୍ ଧରି ପିଚରେ ଛିଡ଼ା ହେବାକୁ ଚେଷ୍ଟା କରୁଥିଲେ ମଧ୍ୟ ତଳେ ପଡ଼ି ଯାଇଥିଲେ। ସାଥୀ ଖେଳାଳିମାନେ ତୁରନ୍ତ ତାଙ୍କ ପାଖକୁ ଦୌଡ଼ି ଯାଇଥିଲେ। ତାଙ୍କୁ ଚେତାକୁ ଫେରାଇ ଆଣିବା ପାଇଁ ଏକାଧିକ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କ ଜୀବନ ଚାଲି ଯାଇଥିବା କୁହାଯାଉଛି।

ତେବେ ଏହି ଯୁବ କ୍ରିକେଟରଙ୍କ ପରିଚୟ ମିଳିପାରି ନଥିବାବେଳେ ମୃତ୍ୟୁର ପ୍ରକୃତ କାରଣ ମଧ୍ୟ ଏଯାବତ୍‌ ଜଣାପଡି ନାହିଁ। ଡାକ୍ତରୀ ପରୀକ୍ଷା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କହିଛି ପୁଲିସ । ହେଲେ ଏଇଠୁ ତ ଗୋଟେ ସ୍ପଷ୍ଟ ହେଲା ଯେ ଜୀବନ ହେଉଛି ପାଣି ଫୋଟକା, ଏଇନେ ଅଛି ତ ଏଇନେ ନାହିଁ । ଜୀବନ ଅଛି ମାନେ ମୃତ୍ୟୁ ସୁନିଶ୍ଚିତ ଏହା ହେଉଛି ନିରାଟ ସତ । ସେଥିପାଇଁ ଲୋଭ, ଗର୍ଭ ହିଂସା ଅହଙ୍କାର ଏସବୁ ଆଦୌ କରିବା ଉଚିତ ନୁହେଁ । କାହିଁକିନା ମଣିଷର ଜୀବନ ତା ନିଜର ବି ନୁହେଁ, କେତେବେଳେ ଯେ ଚାଲିଯିବ ସେ ନିଜେ ବି ଜାଣିନାହିଁ ।

 

You might also like