ଚକ୍ରବ୍ୟୁହରେ ଏନ୍‌ସିବିର ସିଂଘମ୍‌ ସମୀର ଓ୍ଵାଙ୍ଖଡେ, ଟଙ୍କା ଆଦାୟ ସହ ଦୁର୍ନୀତି କରୁଥିବା ନେଇ ଆସିଲା ସାଂଘାତିକ ଅଭିଯୋଗ

ମୁମ୍ବାଇ ପୋଲିସ ସ୍କାନରରେ ସମୀର ଓ୍ଵାଙ୍ଖଡେ। ଏବେ ସମୀରଙ୍କ ବିରୋଧରେ ତଦନ୍ତ କରିବ ମୁମ୍ବାଇ ପୋଲିସ। ଓ୍ଵାଙ୍ଖଡେଙ୍କ ବିରୋଧରେ ୪ଟି ଗୁରୁତର ଅଭିଯୋଗ ଆସିଛି। ତାଙ୍କ ବିରୋଧରେ ଜୋର ଜବରଦସ୍ତ ଟଙ୍କା ଆଦାୟ ଓ ଦୁର୍ନୀତି ଭଳି ଗୁରୁତର ଅଭିଯୋଗ ଆସିଛି। ମୁମ୍ବାଇର ୪ ପୋଲିସ ଅଫିସର ଏହି ତଦନ୍ତ କରିବେ। ଏହି ଅଫିସରମାନେ ହେଉଛନ୍ତି ଆସିଷ୍ଟାଣ୍ଟ କମିଶନର ମିଲିନ୍ଦ ଖେତଲେ, ଇନସପେକ୍ଟର ଅଜୟ ସ୍ୱାଓ୍ଵନ୍ତ, ଆସିଷ୍ଟାଣ୍ଟ ଇନସପେକ୍ଟର ଶ୍ରୀକାନ୍ତ କରକର, ସବ୍‌ ଇନସପେକ୍ଟର ପ୍ରକାଶ ଗୌଲି। ଏହା ସହ ୨ ବରିଷ୍ଠ ଅଧିକାରୀ ଆଡିସନାଲ କମିଶନର ଅଫ ପୋଲିସ ଦିଲ୍ଲୀପ ସ୍ୱାଓନ୍ତ ଓ ଡେପୁଟି କମିଶନର ହେମରାଜ ସିଂ ରାଜପୁତ ତଦନ୍ତର ତଦାରଖ କରିବେ। ସୂଚନାଯୋଗ୍ୟ ଯେ ପୂର୍ବରୁ ଏନ୍‌ସିବି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲିକ ଓ୍ଵାଙ୍ଖଡେଙ୍କୁ ଟାର୍ଗେଟ କରିଆସୁଛନ୍ତି।

ଆର୍ଯ୍ୟନ୍‌ ଡ୍ରଗ୍‌ସ କେସ୍‌ର ଖୁଲାସା କରିବା ପରେ ଚର୍ଚ୍ଚାକୁ ଆସିଥିଲେ ଏହି ଆଇଆର୍‌ଏସ୍‌ ଅଫିସର। ସେ ହିଁ ନିଶା କାରବାର ରୋକିବାକୁ ଜୋରସୋରରେ ଲାଗିପଡ଼ିଥିଲେ। କିନ୍ତୁ ଇତି ମଧ୍ୟରେ ଓ୍ଵାଙ୍ଖଡ଼େଙ୍କ ବିରୋଧରେ ବହୁ ସାଂଘାତିକ ଅଭିଯୋଗ ଆସିଛି। ଏଣୁ ସେ ପ୍ରକୃତରେ ନାୟକ ନା ଖଳନାୟକ ସେ ନେଇ ଏବେ ଦ୍ୱନ୍ଦ୍ୱ ଉପୁଜିଛି। କୁହାଯାଉଛି ଯେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କୁ ଜାଣିଶୁଣି ଡ୍ରଗ୍ସ ମାମଲାରେ ଫସାଇ ଦିଆଯାଇଛି। କିନ୍ତୁ ଏହି ଅଭିଯୋଗକୁ ସମୀର ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଯାହା ସତ ତାକୁ ମୁଁ କେବଳ ସାମ୍ନାକୁ ଆଣିଛି।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁ କରୁ ବଲିଉଡ୍‌ର ଡ୍ରଗ୍ସ କନେକ୍ସନ୍‌ ସାମ୍ନାକୁ ଆସିଥିଲା। ସେତେବେଳେ ସମୀରଙ୍କ ତଦନ୍ତ ଯୋଗୁ ହିଁ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇଥିଲେ। ଏଥିସହ ଦୀପିକା ପାଦୁକୋନ୍‌, ସାରା ଅଲ୍ଲୀ ଖାନ୍‌, ରକୁଲ ପ୍ରୀତ ସିଂହ, ଅର୍ଜୁନ ରାମପାଲ, ଶ୍ରଦ୍ଧା କପୁର ପ୍ରମୁଖ ବଡ଼ ବଡ଼ କଳାକାରଙ୍କୁ ଏନ୍‌ସିବି ଅଫିସର ଚକ୍କର କାଟିବାକୁ ପଡ଼ିଥିଲା। ମହାରାଷ୍ଟ୍ର ସରକାରର ମନ୍ତ୍ରୀ ନଓ୍ଵାବ ମଲ୍ଲିକଙ୍କ ଜ୍ୱାଇଁ ସମୀର ଖାନ୍‌ଙ୍କୁ ବି ଡ୍ରଗ୍ସ ମାମଲାରେ ଓ୍ଵାଙ୍ଖଡ଼େ ଗିରଫ କରିଥିଲେ। ଏହା ପରେ ନବାବ ମଲ୍ଲିକ ସମୀର ଓ୍ଵାଙ୍ଖଡ଼େଙ୍କ ବିରୋଧରେ ଜାଣି ଶୁଣି ବଲିଉଡ୍‌ ଷ୍ଟାରଙ୍କୁ ଟାର୍ଗେଟ୍‌ କରୁଥିବା ନେଇ ଅଭିଯୋଗ କରିଥିଲେ।

ସମୀରଙ୍କ ସାର୍ଟିଫିକେଟ୍‌ ନକଲି ଓ ସେ ଫର୍ଜରି କରି ଆଇଆରଏସ୍‌ ଚାକିରି ପାଇଛନ୍ତି ବୋଲି ମଧ୍ୟ ନବାବ ମଲ୍ଲିକ ଅଭିଯୋଗ କରିଥିଲେ। କେବଳ ସେତିକି ନୁହେଁ ସେ ହିନ୍ଦୁ ହୋଇଥିଲେ ମଧ୍ୟ ଆରକ୍ଷଣ ପାଇଁ ଧର୍ମ ବଦଳାଇ ମୁସଲମାନ୍‌ ହୋଇଥିବା ନେଇ ମଧ୍ୟ କୁହାଯାଉଛି। ନବାବ ମଲ୍ଲିକ ସମୀର ଓ୍ଵାଙ୍ଖଡ଼େଙ୍କୁ ମିଛ ବୋଲି ପ୍ରମାଣିତ କରିବା ପାଇଁ ସୋସିଆଲ ମିଡିଆରେ ତାଙ୍କର ଅନେକ ଫଟୋ ମଧ୍ୟ ସେୟାର କରିଛନ୍ତି। ଅନ୍ୟପଟେ ତଦନ୍ତ ପରେ ସତ ସାମ୍ନାକୁ ଆସିବ ବୋଲି ଓ୍ଵାଙ୍ଗଡ଼େ ନିଜ ପକ୍ଷ ରଖିବା ଅବସରରେ କହିଛନ୍ତି।

ସୂଚନାଯୋଗ୍ୟ ଯେ ସମୀର ଓ୍ଵାଙ୍ଖଡ଼େ ଥରେ ଏୟାରପୋର୍ଟରେ ଅଧିକ ଲଗେଜ୍‌ ଥିବାରୁ ଶାହାରୁଖ ଖାନ୍‌ଙ୍କ ଉପରେ ଦେଢ଼ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.