ବାବା ସିଦ୍ଦିକି ଭଳି ଅବସ୍ଥା ହେବ… ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଲା ଏଭଳି ଧମକ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମାରିବାକୁ ଧମକ । ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଧମକପୂର୍ଣ୍ଣ ମେସେଜ ଦିଆଯାଇଛି । ମୁମ୍ବାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲ ଡିପାର୍ଟମେଣ୍ଟକୁ ଏକ ଅଜଣା ନମ୍ବରରୁ ଫୋନ କରି ଜଣେ ବ୍ୟକ୍ତି ଧମକ ଦେଇଛି । ଧମକ ଦେଇ କହିଛି ଯେ, ୧୦ ଦିନ ମଧ୍ୟରେ ଯୋଗୀ ଆଦିତ୍ୟନାଥ ଯଦି ଇସ୍ତଫା ନ ଦିଅନ୍ତି ତେବେ ତାଙ୍କ ଅବସ୍ଥା ବାବା ସିଦ୍ଦିକିଙ୍କ ଭଳି କରାଯିବ । ଏହି ଧମକପୂର୍ଣ୍ଣ ଫୋନ କଲ ପରେ ମୁମ୍ବାଇ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ନିକଟରେ ମହାରାଷ୍ଟ୍ରର ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିଲା । ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ମୁମ୍ବାଇ ପୋଲିସ ଲଗାତାର ମାମଲାର ଯାଞ୍ଚ କରୁଛି । ବାବା ସିଦ୍ଦିକିଙ୍କ ପୁଅ ଜିଶାନଙ୍କ କାର୍ଯ୍ୟାଳୟ ବାହାରେ ଗୁଳିମାଡ ହୋଇଥିଲା । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସିଦ୍ଦିକିଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଛି । ହତ୍ୟା ପୂର୍ବରୁ ପ୍ରାୟ ଦେଢ଼ ମାସ ଧରି ଅଭିଯୁକ୍ତମାନେ ମୁମ୍ବାଇରେ ରହି ବାବା ସିଦ୍ଦିକିଙ୍କ ଉପରେ ନଜର ରଖିଥିଲେ । ପ୍ରାୟ ୨୫ରୁ ୩୦ ଦିନ ହେଲା ସେମାନେ ବାବା ସିଦ୍ଦିକିଙ୍କ ଘର ଓ ଅଫିସ ପରିସରରେ ରେକି କରୁଥିଲେ ।  ରାତି ପ୍ରାୟ ସାଢ଼େ ୯ଟା ବେଳେ Y ସୁରକ୍ଷା ବଳୟ ଭେଦ କରି ବାବା ସିଦ୍ଦିକିଙ୍କ ଉପରକୁ ଗୁଳି କରିଥିଲେ । ତାଙ୍କ ଛାତି ଓ ପେଟରେ ଗୁଳି ଲାଗିଥିଲା ।

ବାବା ସିଦ୍ଦିକିଙ୍କୁ ମାରିଥିବା ଶୁଟରମାନେ ହତ୍ୟା ପୂର୍ବରୁ ଜେଲରେ ଥିବା ଗ୍ୟାଙ୍ଗଷ୍ଟର୍ ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲଙ୍କ ସହ ମେସେଜିଂ ଆପ୍ ଜରିଆରେ କଥା ହୋଇଥିଲେ । ଅନମୋଲ ବିଷ୍ଣୋଇ ମଧ୍ୟ ଜଣେ ଶୁଟର ତଥା ଷଡ଼ଯନ୍ତ୍ରକାରୀ ପ୍ରବୀଣ ଲୋନକରଙ୍କ ସହ ଯୋଗାଯୋଗରେ ଥିଲେ । କାନାଡା ଏବଂ ଆମେରିକାର ଅଭିଯୁକ୍ତଙ୍କ ସହ ଅନମୋଲ ଯୋଗାଯୋଗ କରୁଥିଲେ । ଅଭିଯୁକ୍ତମାନଙ୍କ ପାଖରୁ ୪ ମୋବାଇଲ୍ ଫୋନ ଜବତ କରାଯାଇଛି । କ୍ରାଇମ୍ ବ୍ରାଞ୍ଚ ଟିମ୍ ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ଏ ପର୍ଯ୍ୟନ୍ତ ୧୦ ଅଭିଯୁକ୍ତଙ୍କୁ ଗିରଫ କରିଛି ।

You might also like