ଟ୍ରେନ ଓ ବିମାନ ପରେ ଏବେ ବ୍ୟାଙ୍କକୁ ବୋମାରେ ଉଡାଇବାକୁ ଧମକ । ମୁମ୍ବାଇ ସ୍ଥିତ ରିଜର୍ଭ ବ୍ୟାଙ୍କ ଅଫିସକୁ ଏକ ଧମକପୂର୍ଣ୍ଣ କଲ୍ ଆସିଛି । କଲ୍ କରିଥିବା ବ୍ୟକ୍ତି ନିଜକୁ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ସିଇଓ ବୋଲି କହି ଧମକ ଦେଇଛି । ଧମକ ଦେବା ପରେ ଗୀତ ଗୁଣୁଗୁଣୁ ଗାଇଥିଲା ଧମକ ଦେଇଥିବା ବ୍ୟକ୍ତି ।
ତେବେ କଲ୍ ଆସିବା ପରେ ଆଇବିଆଇ ଅଧିକାରୀ ତୁରନ୍ତ ମୁମ୍ବାଇ ପୋଲିସକୁ ଖବର ଦେଇଥିଲା । ପୋଲିସ ଥାନାରେ ମାମଲା ରୁଜୁ କରି ତୁରନ୍ତ ଯାଞ୍ଚ ଆରମ୍ଭ କରିଛି । ଧମକ ଦେଇଥିବା ବ୍ୟକ୍ତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁମ୍ବାଇ ପୋଲିସ କହିଛି । କଲ୍ କିଏ କରିଥିଲା, ଏହା ପଛରେ କାରଣ କ’ଣ ତାହା ଜାଣିବାକୁ ଚେଷ୍ଟା କରୁଛି ପୋଲିସ ।
ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ମୁମ୍ବାଇ ଏୟାରପୋର୍ଟକୁ ବୋମାରେ ଉଡାଇବାକୁ ଧମକ ମିଳିଥିଲା । ମୁମ୍ବାଇ ଡୋମେଷ୍ଟିକ ଏୟାରପୋର୍ଟ ଟର୍ମିନାଲ ୧ର ସିଆଇଏସଏଫ କଣ୍ଟ୍ରୋଲ ରୁମକୁ ଧମକପୂର୍ଣ୍ଣ କଲ୍ ଆସିଥିଲା । ଏଥିରେ ଜଣେ ବକ୍ତି ବିସ୍ଫୋରକ ସାମଗ୍ରୀ ଧରି ମୁମ୍ବାଇରୁ ଅଜରବୈଜାନ ଯାଉଥିବା ସୂଚନା ମିଳିଥିଲା । ଏହି ସୂଚନା ମିଳିବା ପରେ ଆତଙ୍କ ସୃଷ୍ଟି ହୋଇଥିଲା । ସିଆଇଏସଏଫ ଟିମ ତୁରନ୍ତ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ସହାର ପୋଲିସ ଷ୍ଟେସନକୁ ଆଲର୍ଟ କରାଯାଇଥିଲା । ଏହାପରେ ପୋଲିସ ଟିମ୍ ଏୟାରପୋର୍ଟକୁ ଯାଇ ଯାଞ୍ଚ ଆରମ୍ଭ କରିଥିଲା ।
ମୁମ୍ବାଇ ସହରରେ ଥିବା ଜସ୍ଲୋକ ହସ୍ପିଟାଲ, ରହେଜା ହସ୍ପିଟାଲ, ସେଭେନ୍ ହିଲ୍ ହସ୍ପିଟାଲ, କୋହିନୂର ହସ୍ପିଟାଲ, କେଇଏମ୍, ଜେଜେ, ସେଣ୍ଟ ଜର୍ଜ ହସ୍ପିଟାଲ ସମେତ ୫୦ରୁ ଅଧିକ ହସ୍ପିଟାଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିଲା ।