ପ୍ରବଳ ପବନ ବହିବା ସାଙ୍ଗକୁ ମୁମ୍ବାଇରେ ବର୍ଷା ଜାରି, ରାସ୍ତା ଉପରେ ଜମିଛି ୬ ଫୁଟ ଉଚ୍ଚତାର ପାଣି

ମୁମ୍ବାଇ: ପ୍ରବଳ ବର୍ଷାରେ ଉବୁଟୁବୁ ମାୟାନଗରୀ । ମୁମ୍ବାଇରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଦାଉ ସାଧିଛି । ଲଗାଣ ବର୍ଷା ଯୋଗୁ ମୁମ୍ବାଇ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଚଳିତ ବର୍ଷ ରାଜ୍ୟକୁ ମୌସୁମୀ ଶୀଘ୍ର ଆସିଛି ଫଳରେ ବର୍ଷା ଲାଗି ରହିଛି । ଗତ ୨୪ ଘଣ୍ଟାରେ ୧୦୦ ମିଲିମିଟରୁ ଅଧିକ ବର୍ଷା ରେକର୍ଡ ହୋଇଛି ।

ପ୍ରବଳ ପବନ ବହିବା ସାଙ୍ଗକୁ ବର୍ଷା ଜାରି ରହିଛି । ପାଣିପାଗ ଅନୁସାରେ ଆସନ୍ତା ବୁଧବାରରେ ବର୍ଷାର ପରିମାଣ କମିବ କିନ୍ତୁ ସପ୍ତାହ ପର୍ଯ୍ୟନ୍ତ ବର୍ଷା ହେବା ନଇ ସମ୍ଭାବନା ରହିଛି । ପ୍ରବଳ ବର୍ଷା ପାଇଁ ମୁମ୍ୱାଇକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏଥିପାଇଁ ଘରୁ ନବାହାରିବା ପାଇଁ ପରାମର୍ଶ ଦେଇଛି ପ୍ରଶାସନ ।

ପ୍ରବଳ ବର୍ଷା ଯୋଗୁ ମୁମ୍ବାଇର ତଳିଆ ଅଞ୍ଚଳ ଗୁଡ଼ିରେ ପାଣି ଜମିବା ଆରମ୍ଭ ହୋଇଛି । ରାସ୍ତା ଉପରେ ୫ରୁ ୬ ଫୁଟ ଉଚ୍ଚତାରେ ପାଣି ଜମିଛି । ଯାହାଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି ଏବଂ ଟ୍ରେନ୍ ଏବଂ ମେଟ୍ରୋ ରେଳ ସେବାରେ ବାଧା ସୃଷ୍ଟି ହୋଇଛି ।

ଏପଟେ ମୁମ୍ବାଇର ପ୍ରତିକୂଳ ପାଗକୁ ନେଇ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି କି, ମୁମ୍ବାଇରେ ପ୍ରବଳ ବର୍ଷା ଜାରି ରହିଛି, ଏବଂ ସହରର ଅନେକ ସ୍ଥାନରେ ରାସ୍ତା ଅବସ୍ଥା ଠିକ୍ ନାହିଁ । ବିମାନବନ୍ଦରକୁ ଯାଉଥିବା କିଛି ରାସ୍ତାରେ ଜଳବନ୍ଦୀ ଏବଂ କମ୍ ଦୃଶ୍ୟମାନତା ରିପୋର୍ଟ କରାଯାଉଛି ।

ସେପଟେ ପାଣିପାଗ ବିଭାଗ ଜୁନ୍ ୨୨ ପର୍ଯ୍ୟନ୍ତ କୋଙ୍କଣ, ଗୋଆ, ମଧ୍ୟ ମହାରାଷ୍ଟ୍ର, ଗୁଜରାଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି । ଅନ୍ୟପକ୍ଷରେ, ସୌରାଷ୍ଟ୍ର ଏବଂ କଚ୍ଛରେ ଆଜି ପ୍ରବଳବର୍ଷା ହେବାର ସମ୍ଭାବନା ରହିଛି ।

ପାଣିପାଗ ବିଭାଗ କହିଛି ଯେ, ମଙ୍ଗଳବାର ଦିନ ଗୁଜରାଟ ଏବଂ ମଧ୍ୟପ୍ରଦେଶର କିଛି ଅଂଶ, ବିଦର୍ଭର ଅବଶିଷ୍ଟ ଅଂଶ; ଛତିଶଗଡ଼ ଏବଂ ଓଡ଼ିଶାର କିଛି ଅଂଶ, ଉପ-ହିମାଳାୟ ପଶ୍ଚିମବଙ୍ଗ ଏବଂ ସିକିମର ଅବଶିଷ୍ଟ ଅଂଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଆଗକୁ ବଢ଼ିବା ପାଇଁ ପରିସ୍ଥିତି ଅନୁକୂଳ ରହିଛି ।

ଆହୁରି ପଢନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ୨ଟି ଲଘୁଚାପ, ୨୪ ଘଣ୍ଟାରେ ହେବ ଆହୁରୀ ଘନୀଭୂତ