ମୁମ୍ବାଇର ଦୁଇଟି ସ୍କୁଲକୁ ବୋମା ଧମକ, ଧମକପୂର୍ଣ୍ଣ ଇମେଲ ପଠାଇଛି ଅଫଜଲ୍ ଗ୍ୟାଙ୍ଗ୍ !

ମୁମ୍ବାଇର ଦୁଇଟି ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ଗୋଟିଏ ସ୍କୁଲ ଜୋଗେଶ୍ଵରୀ-ଓସିୱାରା ଅଞ୍ଚଳରେ ଥିବା ବେଳେ ଅନ୍ୟଟି ନଭି ମୁମ୍ବାଇରେ ରହିଛି । ଇମେଲ୍ ଜରିଆରେ ଏହି ଧମକ ଦିଆଯାଇଛି । ଧମକପୂର୍ଣ୍ଣ ମେଲ୍ ପାଇବା ପରେ ସ୍କୁଲ କର୍ତ୍ତୃପକ୍ଷ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଅଧିକାରୀମାନେ ପୂରା କ୍ୟାମ୍ପସରେ ଯାଞ୍ଚ ଆରମ୍ଭ କରିଦେଇଛନ୍ତି । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ୍ ଏବଂ ଡଗ୍ ସ୍କ୍ୱାଡ ମଧ୍ୟ ଅଛନ୍ତି ।
ଇମେଲରେ କୁହାଯାଇଛି ଯେ ଅଫଜଲ ନାମକ ଗ୍ୟାଙ୍ଗ୍ ସ୍କୁଲରେ ବୋମା ରଖିଛି । କିନ୍ତୁ ଉଭୟ ସ୍କୁଲରେ ଯାଞ୍ଚ ପରେ କୌଣସି ବି ସନ୍ଦିଗ୍ଧ ବସ୍ତୁ ମିଳିନାହିଁ । ପୋଲିସ ଇମେଲ୍ ପଠାଇଥିବା ଲୋକକୁ ଖୋଜାଖୋଜି କରୁଛି । ଆଜି ସକାଳ ପ୍ରାୟ ୧୦ଟାରେ ସ୍କୁଲକୁ ଇମେଲ୍ ଆସିଥିଲା । ଉଭୟ ସ୍କୁଲକୁ ଭିନ୍ନ ଭିନ୍ନ ଇମେଲ୍ ମାଧ୍ୟମରେ ଧମକ ଦିଆଯାଇଥିଲା ।
ଏହି ଦୁଇଟି ଘଟଣାକୁ ନେଇ ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସି ସଜାଗ ରହିଛନ୍ତି । ପୋଲିସ ମାମଲାକୁ ଗମ୍ଭୀରତାର ସହ ଯାଞ୍ଚ କରୁଥିବା ବେଳେ ଧମକ ଦେଇଥିବା ଲୋକକୁ ଟ୍ରାକ୍ କରିବାକୁ ଚେଷ୍ଟା ଚଳାଇଛି । ଏଥିସହିତ ସ୍କୁଲ ପ୍ରଶାସନ ଏବଂ ଅଭିଭାବକମାନଙ୍କୁ ସତର୍କ ରହିବାକୁ ଅପିଲ କରିଛି ।
ଗତ ମାସରେ ମଧ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଧମକପୂର୍ଣ୍ଣ ଇମେଲ ମିଳିଥିଲା । ଆରବିଆଇର ମୁମ୍ବାଇ କାର୍ଯ୍ୟାଳୟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିଲା । ଏହା ପୂର୍ବରୁ ଡିସେମ୍ବର ୯ରେ ଦିଲ୍ଲୀର ପାଖାପାଖି ୪୪ଟି ସ୍କୁଲକୁ ଏହିପରି ବୋମା ଧମକ ମିଳିଥିଲା ।
ଆହୁରି ପଢ଼ନ୍ତୁ: ୪୦୦ ସ୍କୁଲକୁ ଦେଇଥିଲେ ମିଥ୍ୟା ବୋମା ଧମକ, ଛାତ୍ରଙ୍କୁ ଧରିଲା ଦିଲ୍ଲୀ ପୋଲିସ, ଅଫଜଲ୍ ଗୁରୁଙ୍କ ସହ ଲିଙ୍କ୍ !