ମୁମ୍ବାଇ କୁର୍ଲାରେ ଭୟଙ୍କର ସିରିଜ୍ ଦୁର୍ଘଟଣା, ୪ ମୃତ, ୨୫ ଆହତ

ମୁମ୍ବାଇ କୁର୍ଲାରେ ଭୟଙ୍କର ସିରିଜ୍ ଦୁର୍ଘଟଣା । ୪ ମୃତ, ୨୫ ଆହତ । ଗୁରୁତରଙ୍କ ସଂଖ୍ୟା ଅଧିକ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା । ମୁମ୍ବାଇର ବ୍ୟସ୍ତବହୁଳ କୁର୍ଲାରେ ଏକ ବସ ଏକାଧିକ ଗାଡ଼ିକୁ ଧକ୍କା ଦେଇଛି । ବସଟି ଦ୍ରୁତ ଗତିରେ ଆସୁଥିବା ବେଳେ ପ୍ରଥମେ ଏକ ଅଟୋରିକ୍ସାକୁ ଧକ୍କା ଦେଇଥିଲା । ଏହା ପରେ ନିୟନ୍ତ୍ରଣ ହରାଇ ଆଉ କିଛି ଗାଡ଼ିକୁ ଧକ୍କା ଦେବା ସହ ପଥଚାରୀଙ୍କ ଉପରେ ମାଡ଼ି ଯାଇଥିଲା । କୁର୍ଲା ଷ୍ଟେସନରୁ ଅନ୍ଧେରୀ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୪ଜଣଙ୍କର ମୃତ୍ୟୁ ହୋଇଛି । ଆହତମାନଙ୍କୁ ସିଅନ ଓ କୁର୍ଲା ଭାବା ହସପିଟାଲରେ ଭର୍ତ୍ତି କରାଯାଇଛି । ବସ ଡ୍ରାଇଭରକୁ ହେପାଜତକୁ ନେଇ ପଚରାଉଚରା କରୁଛି ପୋଲିସ ।

ସୂଚନା ମୁତାବକ, ଗତ କଲି ରାତି (ସୋମବାର) କୁର୍ଲା ପଶ୍ଚିମ ରେଳ ଷ୍ଟେସନର ଆମ୍ବେଦକର ନଗର ଅଞ୍ଚଳରେ ବସ ଏହି ଦୁର୍ଘଟଣା ଘଟାଇଛି । ବସଟିର ହଠାତ ବ୍ରେକଫେଲ ହୋଇଯିବା ସହ ଲୋକଙ୍କ ଉପରେ ମାଡ଼ିଯାଇଥିଲା । ଦୁର୍ଘଟଣା ସ୍ଥଳରେ ହିଁ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ୨୫ରୁ ଅଧିକ ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମୁମ୍ବାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଦୁର୍ଘଟଣା ସ୍ଥଳର ଆଖପାଖରେ ଲାଗିଥିବା ସମସ୍ତ ସିସିଟିଭିର ଫୁଟେଜ ଯାଞ୍ଚ କରି ଦୁର୍ଘଟଣାର କାରଣ ଖୋଜୁଛି ପୋଲିସ ।