ପ୍ରବଳ ବର୍ଷାରେ ମୁମ୍ବାଇ ସ୍ଥିତି ବେହାଲ: ବୁଡିଲା ରାସ୍ତା ଭାସିଲା କାର, ଲୋକଙ୍କୁ ଘରୁ ନ ବାହାରିବାକୁ ସତର୍କ

ନୂଆଦିଲ୍ଲୀ : ପ୍ରବଳ ବର୍ଷାରେ ମୁମ୍ବାଇ ସ୍ଥିତି ବେହାଲ। ବୁଡିଲା ରାସ୍ତା, ଭାସିଲା କାର । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି । ଅଟକି ଯାଇଛି ମୁମ୍ବାଇ ଟ୍ରାଫିକ । ପ୍ରବଳ ବର୍ଷାରେ ବୁଡ଼ି ଯାଇଛି ରେଲୱେ ଟ୍ରାକ । ରେଳ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଛି । ଅନେକ ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି ।

ସେହିଭଳି ବର୍ଷା ଯୋଗୁଁ ୫୦ଟି ବିମାନକୁ ହାଇଦ୍ରାବାଦ, ଇନ୍ଦୋର, ଅହମ୍ମଦାବାଦ ଆଦି ସ୍ଥାନକୁ ଡାଇଭର୍ଟ କରାଯାଇଛି। ରାତି ତମାମ ବର୍ଷା ଯୋଗୁଁ ମୁମ୍ବାଇର ହାଲ ବେହାଲ ହୋଇ ପଡ଼ିଛି । ଥାନେ, ଅନ୍ଧେରି, କୁର୍ଲା, ଭଣ୍ଡୁପ୍, କିଙ୍ଗ୍ ସର୍କଲ୍ ଏବଂ ଦାଦର ସମେତ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଛି। ଆଜି ମଧ୍ୟ ମୁମ୍ବାଇରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଥିପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଆଜି ମୁମ୍ବାଇର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛି ମହାନଗର ନିଗମ। ଏଥିସହ ଆବଶ୍ୟକ ନ ଥିଲେ ଲୋକଙ୍କୁ ଘରୁ ନ ବାହାରିବାକୁ ସତର୍କ କରାଯାଇଛି ।

ଗତକାଲି ବିଦ୍ୟାବିହାରର ଟ୍ରେନ୍ ଟ୍ରାକରେ ପାଣି ବହୁଥିବା ଏବଂ ଅନେକ ଅଣ୍ଡର ପାସ୍ ଜଳବନ୍ଦୀ ସ୍ଥିତିରେ ଥିବା ଦେଖିବାକୁ ମିଳିଥିଲା । ଭୀଷଣ ବର୍ଷା ଆଶଙ୍କା ଥିବାରୁ ବିଭିନ୍ନ ସ୍ଥାନରେ ଏନଡିଆରଏଫ ଟିମ୍ ମୁତୟନ ହୋଇଛନ୍ତି।