୨୬/୧୧କୁ ପୂରିଲା ୧୩ ବର୍ଷ, ଯୁଦ୍ଧକାଳୀନ ଭିତ୍ତିରେ ମାମଲାର ଶୁଣାଣି କରିବାକୁ ପାକ୍‌ ଉପରେ ଚାପ ପକାଇଲା ଭାରତ

ମୁମ୍ବାଇ ଆତଙ୍କୀ ଆକ୍ରମଣକୁ ଆଜି ୧୩ ବର୍ଷ ପୂରିଛି। ୨୬ ନଭେମ୍ବର ୨୦୦୮ ଆଜିର ଦିନରେ ମୁମ୍ବାଇର ଛାତି ଉପରେ ଆତଙ୍କବାଦୀମାନେ ବିଭୀଷିକା ରଚିଥିଲେ। ଏହି ଅଚାନକ ଆକ୍ରମଣରେ ଶତାଧିକ ଲୋକ ପ୍ରାଣ ହରାଇଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଯବାନ ବି ସହିଦ ହୋଇଥିଲେ। ଆଜି ୧୩ ବର୍ଷ ପରେ ସାରା ଦେଶ ସେମାନଙ୍କୁ ପୁଣିଥରେ ମନେ ପକାଇଛି ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି। ତେବେ ଆଜିର ଏହି ଦିବସରେ ଆତଙ୍କବାଦୀ ଆକ୍ରମଣ ମାମଲାର ଶୀଘ୍ର ଶୁଣାଣି କରିବାକୁ ପାକିସ୍ତାନ ଉପରେ ଚାପ ପକାଇଛି ଭାରତ।

ପାକିସ୍ତାନର ଆତଙ୍କବାଦୀମାନେ ୧୩ ବର୍ଷ ତଳେ ଭାରତରେ ଯେଉଁଭଳି ଭାବେ ରକ୍ତର ବନ୍ୟା ବୁହାଇଥିଲେ, ତାହାର ଦୋଷୀଙ୍କୁ ଖୋଜି ତ୍ୱରିତ ପଦକ୍ଷେପ ନେବାକୁ ପାକିସ୍ତାନର ହାଇ କମିଶନକୁ କହିଛି ଭାରତ। ପାକ୍‌ ଉପରେ ରାଜନୈତିକ ଚାପ ପକାଇ ଶୁଣାଣିକୁ ଶୀଘ୍ର କରିବାକୁ ଉଦ୍ୟମ କରୁଛି ଭାରତ। ଏହି ମାମଲାର ଶୁଣାଣିକୁ ଶୀଘ୍ର କରିବା ଉପରେ ଜୋର ଦେଇ ଭାରତ ପକ୍ଷରୁ କୁହାଯାଇଛି ଯେ ୧୬୬ ପୀଡ଼ିତଙ୍କ ପରିବାର ଏହି ଶୁଣାଣିକୁ ଅପେକ୍ଷା କରିଛନ୍ତି। ଏହି ଶୁଣାଣି ହିଁ ତାଙ୍କୁ ନ୍ୟାୟ ଦେବ। ଏଣୁ ଶୀଘ୍ର ଶୁଣାଣି କରିବା ଉପରେ ପାକ୍‌ର ଉଚ୍ଚ କର୍ତ୍ତୃପକ୍ଷ ଧ୍ୟାନ ଦିଅନ୍ତୁ ବୋଲି ଭାରତ ପକ୍ଷରୁ ଦାବି କରାଯାଇଛି।

ବିଦେଶ ମନ୍ତ୍ରାଳୟ କହିଛି, ଭାରତ ପକ୍ଷରୁ ଦିଆଯାଇଥିବା ଦସ୍ତାବିଜ୍‌ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାର ଶୁଣାଣି ଶୀଘ୍ର କରିବା ଉପରେ ଜୋର୍‌ ଦିଆଯାଇଛି ଓ ପାକିସ୍ତାନ ସରକାରଙ୍କ ଅଧୀନରେ ଥିବା ଅଞ୍ଚଳର ବ୍ୟବହାର ଯେଭଳି ଆତଙ୍କବାଦୀମାନେ ନ କରନ୍ତି ସେଥିପ୍ରତି ଗୁରୁତ୍ୱ ଦେବାକୁ କୁହାଯାଇଛି।

ବୟାନରେ କୁହାଯାଇଛି, ଏହା ଅତ୍ୟନ୍ତ ଦୁଃଖର କଥା ଯେ ୨୬/୧୧ ଆକ୍ରମଣର ୧୩ ବର୍ଷ ପରେ ବି ୧୬୬ ପୀଡ଼ିତ ପରିବାରଙ୍କୁ ନ୍ୟାୟ ମିଳିପାରିନାହିଁ। ସେମାନେ ଏବେ ବି ଶୁଣାଣିକୁ ଅପେକ୍ଷା କରି ରହିଛନ୍ତି। ଏହି ମାମଲାରେ ପାକିସ୍ତାନ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଗମ୍ଭୀରତା ଦେଖାଉନଥିବା ବିଦେଶ ମନ୍ତ୍ରାଳୟ କହିଛି।

You might also like