ଦିଲ୍ଲୀରେ ଭାଙ୍ଗିଲା ମୁନକ କେନାଲ୍‌ର ବ୍ୟାରେଜ୍‌, ଜନବସତି ଅଞ୍ଚଳକୁ ପଶି ଆସିଲା ପାଣି

ମୌସୁମୀ ବର୍ଷା ଦେଶର ଅନେକ ଅଞ୍ଚଳରେ ବିନାଶର ତାଣ୍ଡବ ରଚିଛି । ଗୋଟିଏ ପଟେ ଯେଉଁଠି ୟୁପି ଓ ଆସାମର ଅନେକ ଅଞ୍ଚଳ ବନ୍ୟା ଘେରରେ ରହିଛି, ସେଠି ମୁମ୍ବାଇର ଅବସ୍ଥା ମଧ୍ୟ ବର୍ଷା ଯୋଗୁ ବେହାଲ ହୋଇପଡ଼ିଛି । ଏହାରି ଭିତରେ ଦିଲ୍ଲୀରେ ମୁନକ କେନାଲ୍‌ର ବ୍ୟାରେଜ୍‌ ଭାଙ୍ଗି ଗୁରୁତର ସମସ୍ୟା ସୃଷ୍ଟି ହୋଇଛି । ବ୍ୟାରେଜ୍‌ ଭାଙ୍ଗିଯିବାରୁ ସ୍ଥାନୀୟ ଜେଜେ କଲୋନୀ ଜଳମଗ୍ନ ହୋଇଯାଇଛି ।

କିଛି ଦିନ ହେବ ଦିଲ୍ଲୀରେ ବର୍ଷା ଜାରି ରହିଛି, ଯେଉଁଥିପାଇଁ ଯମୁନାର ଜଳସ୍ତର ବଢ଼ିଯାଇଛି । ବହୁ ବଡ଼ ବଡ଼ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି । ଉତ୍ତର ଦିଲ୍ଲୀର ମୁନକ କେନାଲ୍‌ର ବ୍ୟାରେଜ୍‌ ଭାଙ୍ଗିବା କାରଣରୁ ବଓ୍ଵାନାର ଜେଜେ କଲୋନୀ ଜଳମଗ୍ନ ହୋଇଛି । ଜନବସତି ଅଞ୍ଚଳରେ ପାଣି ପଶିଯାଇଛି । ଲୋକମାନେ ଆଣ୍ଠୁଏ ଏବଂ ଅଣ୍ଟାଏ ଉଚ୍ଚର ପାଣିରେ ଯିବାଆସିବା କରୁଥିବାର ଦେଖାଯାଉଛି ।

ସୂଚନାଥାଉ କି, ପାଣିପାଗ ବିଭାଗ ଦିନରେ ହାଲୁକା ବର୍ଷା ହେବାର ପୂର୍ବାନୁମାନ କରିଥିଲା । ସକାଳ ୮ଟା ୩୦ରେ ଦିଲ୍ଲୀରେ ଆର୍ଦ୍ରତାର ସ୍ତର ଥିଲା ୯୧ ପ୍ରତିଶତ । ବୁଧବାର ସକାଳ ୮ଟା ୩୦ରୁ ଗୁରୁବାର ସକାଳ ୮ଟା ୩୦ ମଧ୍ୟରେ ୧୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଗୁରୁବାର ସହରର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ସେଲ୍‌ସିୟସ୍‌ ରହିବାର ସମ୍ଭାବନା ରହିଛି ।

ଦିଲ୍ଲୀର ଜୀବନଦାୟିନୀ କୁହାଯାଉଥିବା ମୁନକ କେନାଲ୍‌ରେ ଗୁରୁବାର ସକାଳେ ହଠାତ୍‌ ଫାଟ ସୃଷ୍ଟି ହୋଇଥିଲା, ଯାହାପରେ ଜଳ ପ୍ରବାହକୁ ସବ୍‌ କେନାଲ୍‌ ଆଡ଼କୁ ଡାଇଭର୍ଟ କରି ଦିଆଯାଇଥିଲା । ବର୍ତ୍ତମାନ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଦିଲ୍ଲୀ ଜଳ ମନ୍ତ୍ରୀ ଅତିଶୀ କହିଛନ୍ତି, ଶୁକ୍ରବାର ଦ୍ୱିପ୍ରହରରୁ ମୁନକ କେନାଲ ଜରିଆରେ ପାଣି ପୁଣିଥରେ ଆସିବା ଆରମ୍ଭ କରିବ । ସେ ପର୍ଯ୍ୟନ୍ତ ମରାମତି କାର୍ଯ୍ୟ ମଧ୍ୟ ଶେଷ ହୋଇଯିବ ।

କହି ରଖୁଛୁ, ମୁନକ କେନାଲ ଦେଇ ହରିୟାଣାରୁ ପାଣି ଦିଲ୍ଲୀ ପର୍ଯ୍ୟନ୍ତ ଆସିଥାଏ । ଏଠାରେ ବିଭିନ୍ନ ଓ୍ଵାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟରେ ପାଣିକୁ ଶୁଦ୍ଧ କରାଯାଇ ଲୋକଙ୍କ ଘରକୁ ଯୋଗାଣ କରାଯାଇଥାଏ ।

Leave A Reply

Your email address will not be published.