ଦିଲ୍ଲୀ ଅଗ୍ନିକାଣ୍ଡ ମାମଲାରେ ପୋଲିସକୁ ବଡ଼ ସଫଳତା: ମୁଣ୍ଡକା ବିଲ୍ଡିଂର ମାଲିକ ମନୀଷ ଲାକ୍ରା ଗିରଫ

ନୂଆଦିଲ୍ଲୀ: ମୁଣ୍ଡକା ଅଗ୍ନିକାଣ୍ଡ କେସ୍‌ରେ ଦିଲ୍ଲୀ ପୋଲିସକୁ ବଡ଼ ସଫଳତା। ଦୁଇ ଦିନ ପୂର୍ବରୁ ମୁଣ୍ଡକାରେ ଯେଉଁ ବିଲ୍ଡିଂରେ ନିଆଁ ଲାଗିଥିଲା, ତାହାର ମାଲିକ ମନୀଷ ଲାକ୍ରାକୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଆଉଟର ଡିସିପି ସମୀର ଶର୍ମାଙ୍କ ସୂଚନା ମୁତାବକ, ଆମେ ମନୀଷ ଲାକ୍ରାକୁ ଗିରଫ କରିଛୁ। ଚଢ଼ଉ ବେଳେ ସେ ଧରାପଡ଼ିଛି। ସୂଚନାଯୋଗ୍ୟ ଯେ ଅଗ୍ନିକାଣ୍ଡ ପରଠାରୁ ମନୀଷ ଲାକ୍ରା ଫେରାର ଥିଲା।

ପ୍ରକାଶ ଯେ ମୁଣ୍ଡକାର ବାସିନ୍ଦା ମନୀଷ ଲାକ୍ରା ବିଲ୍ଡିଂର ଟପ୍‌ ଫ୍ଲୋରରେ ରହୁଥିଲା। ନିଆଁ ଲାଗିବା ପରେ ଏହି ବିଲ୍ଡିଂରୁ ୨୭ ଜଣଙ୍କ ମୃତ ଦେହ ମିଳିଛି। କିନ୍ତୁ ଏବେ ଯାଏଁ ଜଣାପଡ଼ିନଥିଲା ଯେ ଅଗ୍ନିକାଣ୍ଡ ବେଳେ ମନୀଷ ଲାକ୍ରା ବିଲ୍ଡିଂରେ ଥିଲା କି ନାହିଁ। ଏହା ପରେ ପୋଲିସ ପକ୍ଷରୁ ଦିଲ୍ଲୀ ଓ ହରିୟାଣାର କେତେକ ସ୍ଥାନରେ ଚଢ଼ଉ କରାଯାଇଥିଲା। ଶେଷରେ ମନୀଷକୁ ଧରିବାରେ ପୋଲିସ ସଫଳ ହୋଇଛି।

ସୂଚନାଯୋଗ୍ୟ ଯେ ଏହି ବିଲ୍ଡିଂରେ ଗ୍ରାଉଣ୍ଡ୍‌ ସହ ତିନି ମହଲା ରହିଛି। ଗ୍ରାଉଣ୍ଡ, ପ୍ରଥମ ଓ ଦ୍ୱିତୀୟ ମହଲାରେ ଗୋଟିଏ କମ୍ପାନୀ ଚାଲିଥିଲା। ଏହି କମ୍ପାନୀର ମାଲିକ ହରିଶ ଗୋୟଲ ଓ ବରୁଣ ଗୋୟଲଙ୍କୁ ବି ପୂର୍ବରୁ ଗିରଫ କରାଯାଇଛି। ଏହି ନିଆଁ ଲାଗିବା ବେଳେ ଅଧିକାଂଶ ଲୋକ ବିଲ୍ଡିଂର ଦ୍ୱିତୀୟ ମହଲାରେ ଥିଲେ।

ଶୁକ୍ରବାର ଦିନ ସର୍ବ ପ୍ରଥମେ ପ୍ରଥମ ତାଲାରେ ନିଆଁ ଲାଗିଥିଲା। ଏହି ଘଟଣାରେ ୨୧ ଜଣ ମହିଳାଙ୍କ ସମେତ ୨୭ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଅଗ୍ନିକାଣ୍ଡ ପରେ ଏବେ ବି ୧୯ ଜଣ ନିଖୋଜ ଅଛନ୍ତି ଓ ସେମାନେ ଜୀବିତ ଥିବା ସମ୍ଭାବନା ବି କମ୍‌ ଥିବା ଆଶଙ୍କା କରାଯାଉଛି।

Also Read: ପୁଣି ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼: LPG ପରେ ଏବେ ୨ ଟଙ୍କା ବଢ଼ିଲା CNG ଦର; ଜାଣନ୍ତୁ ଏବେ କେତେ ହେଲା ଦାମ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.