ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଓ ୨ IPS ଅଧିକାରୀଙ୍କ ନାଁରେ ‘ହତ୍ୟା ଉଦ୍ୟମ’ ମାମଲା ରୁଜୁ

ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ଵାଇଏସ୍‌ ଜଗନ ମୋହନ ରେଡ୍ଡୀଙ୍କ ନାଁରେ ‘ହତ୍ୟା ଉଦ୍ୟମ’ ମାମଲା ରୁୁଜୁ ହୋଇଛି । ଟିଡିପି ବିଧାୟକଙ୍କ ଅଭିଯୋଗ ପରେ ପୋଲିସ ଜଗନ ମୋହନ ରେଡ୍ଡୀ ଏବଂ ୨ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି । ଟିଡିପିର ଉଣ୍ଡି ବିଧାୟକ କେ. ରଘୁରାମ କୃଷ୍ଣ ରାଜୁ ଏହି ଅଭିଯୋଗ ଦାଖଲ କରିଛନ୍ତି ।

ଅଧିକାରୀଙ୍କ ସୂଚନା ଅନୁସାରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ଵାଇଏସ୍‌ ଜଗନ ମୋହନ ରେଡ୍ଡୀଙ୍କ ସହ ଭାରତୀୟ ପୋଲିସ ସେବା (ଆଇପିଏସ୍‌)ର ୨ ଅଧିକାରୀ ତତ୍କାଳୀନ ସିଆଇଡି ମୁଖ୍ୟ ପିଭି ସୁନୀଲ କୁମାର ଏବଂ ତାଙ୍କର ଗୁଇନ୍ଦା ମୁଖ୍ୟ ପିଏସ୍‌ଆର୍‌ ଅଞ୍ଜନେୟୁଲୁଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଛି ।

ରଘୁରାମ କୃଷ୍ଣ ରାଜୁଙ୍କ ଅଭିଯୋଗ ଆଧାରରେ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ପୋଲିସ ଏଫ୍‌ଆଇଆର୍‌ ପଞ୍ଜିକୃତ କରିଛି । ୧ ମାସ ପୂର୍ବରୁ ସେ ମେଲ୍‌ ମାଧ୍ୟମରେ ପୋଲିସକୁ ଅଭିଯୋଗ ପଠାଇଥିଲେ । ଆଇନଗତ ପରାମର୍ଶ ନେବା ପରେ ପୋଲିସ ଗତକାଲି ସନ୍ଧ୍ୟାରେ ୩ ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ବିଧାୟକ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ସିଆଇଡି କାର୍ଯ୍ୟାଳୟରେ ବେଲ୍ଟ ଏବଂ ବାଡ଼ିରେ ପିଟାଯାଇଛି ।

ରାଜୁ କହିଛନ୍ତି ଯେ ୨୦୨୧ରେ ସିଆଇଡି ଅଧିକାରୀମାନେ ତାଙ୍କୁ ହାଇଦ୍ରାବାଦରୁ ଗିରଫ କରିଥିଲେ । ଗିରଫ ପରେ ତାଙ୍କୁ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇ ନ ଥିଲା ଏବଂ ଟ୍ରାଞ୍ଜିଟ୍ ଗିରଫ ୱାରେଣ୍ଟ ମଧ୍ୟ ମିଳି ନ ଥିଲା । ସେ ଆହୁରି କହିଛନ୍ତି ଯେ ତାଙ୍କୁ ସିଆଇଡି କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇ ତାଙ୍କ ସହିତ ମାରପିଟ କରାଯାଇଥିଲା । ପିଭି ସୁନୀଲ କୁମାରଙ୍କ ସହ ଅନେକ ପୋଲିସ କର୍ମଚାରୀ ସିଆଇଡି କାର୍ଯ୍ୟାଳୟରେ ପହଞ୍ଚି ତାଙ୍କୁ ବାଡିରେ ପିଟିଥିଲେ ।

ରଘୁରାମ ରାଜୁ ଅଭିଯୋଗ କରିଛନ୍ତି, ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଚାପ ଯୋଗୁ ତାଙ୍କୁ ହୃଦରୋଗ ସମ୍ବନ୍ଧୀୟ ଔଷଧ ଖାଇବାକୁ ମଧ୍ୟ ଦିଆଯାଇ ନ ଥିଲା । ପୂର୍ବତନ ସିଏମ୍ ରେଡ୍ଡୀ ଜାଣିଥିଲେ ଯେ ତାଙ୍କ ହାର୍ଟର ବାଇପାସ୍ ସର୍ଜରୀ ହୋଇଛି, ତଥାପି କିଛି ଲୋକ ତାଙ୍କ ଛାତି ଉପରେ ବସିଯାଇଥିଲେ ।

You might also like