ସୁପ୍ରିମ୍କୋର୍ଟଙ୍କ ବଡ଼ ନିଷ୍ପତ୍ତି…; ଛାଡ଼ପତ୍ର ପାଇଥିବା ମୁସଲମାନ ମହିଳା ମଧ୍ୟ ସ୍ୱାମୀଙ୍କୁ ମାଗିପାରିବେ ଭରଣପୋଷଣ ଭତ୍ତା

ମୁସଲମାନ ମହିଳାଙ୍କୁ ନେଇ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ସିଆର୍ପିସି (CrPC)ର ଧାରା ୧୨୫ ଅନୁଯାୟୀ, ଜଣେ ମୁସଲମାନ ମହିଳା ତାଙ୍କ ସ୍ୱାମୀଙ୍କଠାରୁ ଭରଣପୋଷଣ ଭତ୍ତା ମାଗିପାରିବେ । ପତ୍ନୀଙ୍କୁ ଭରଣପୋଷଣ ଭତ୍ତା ଦେବା ପାଇଁ ତେଲେଙ୍ଗାନା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଜଣେ ମୁସଲମାନ ବ୍ୟକ୍ତି ଚ୍ୟାଲେଞ୍ଜ କରିଥିଲେ । ବୁଧବାର ଏହି ଆବେଦନର ଶୁଣାଣି ବେଳେ କୋର୍ଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ମହମ୍ମଦ ଅବଦୁଲ ସମଦ ନାମକ ବ୍ୟକ୍ତି ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ ଦାୟର କରିଥିଲେ ।
ସୁପ୍ରିମ୍କୋର୍ଟଙ୍କ ଜଷ୍ଟିସ୍ ବିଭି ନାଗରତ୍ନା ଏବଂ ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମସିହଙ୍କ ବେଞ୍ଚ ମହମ୍ମଦ ଅବଦୁଲ ସମଦଙ୍କ ଦ୍ୱାରା ଦାୟର ଆବେଦନକୁ ଖାରଜ କରିଦେଇଛନ୍ତି । ସିଆର୍ପିସିର ଧାରା ୧୨୫ ଅଧୀନରେ ଛାଡପତ୍ର ହୋଇଥିବା ପତ୍ନୀଙ୍କୁ ଭରଣପୋଷଣ ଭତ୍ତା ଦେବାର ନିର୍ଦ୍ଦେଶ ବିରୋଧରେ ସେ ଆବେଦନ ଦାଖଲ କରିଥିଲେ । କୋର୍ଟ କହିଛନ୍ତି ଯେ ‘ମୁସଲିମ୍ ମହିଳା (ଛାଡ଼ପତ୍ରରେ ଅଧିକାରର ସଂରକ୍ଷଣ) ଅଧିନିୟମ ୧୯୮୬’ ଧର୍ମନିରପେକ୍ଷ ଆଇନ ଉପରେ ପ୍ରଭାବଶାଳୀ ହୋଇପାରିବ ନାହିଁ ।
ଜଷ୍ଟିସ ନାଗରତ୍ନା ଏବଂ ଜଷ୍ଟିସ ମସିହ ଉଭୟ ଭିନ୍ନ ଭିନ୍ନ, କିନ୍ତୁ ସହମତିଭିତ୍ତିକ ନିଷ୍ପତ୍ତି ଶୁଣାଇଥିଲେ । ହାଇକୋର୍ଟ ମହମ୍ମଦ ସମଦଙ୍କୁ ୧୦,୦୦୦ ଟଙ୍କା ଭରଣପୋଷଣ ଭତ୍ତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଜଷ୍ଟିସ ନାରରତ୍ନା ଏହି ରାୟ ପ୍ରଦାନ କରି କହିଛନ୍ତି ଯେ ‘ସିଆର୍ପିିସିର ଧାରା ୧୨୫ କେବଳ ବିବାହିତା ମହିଳାଙ୍କ ପାଇଁ ନୁହେଁ, ବରଂ ସମସ୍ତ ମହିଳାଙ୍କ ପାଇଁ ପ୍ରଯୁଜ୍ୟ । ଆମେ ଏହି ନିଷ୍କର୍ଷ ସହିତ ଅପରାଧିକ ଆବେଦନକୁ ଖାରଜ କରିଛୁ’ ।
ସୁପ୍ରିମକୋର୍ଟ କହିଛନ୍ତି, ସିଆର୍ପିିସିର ଧାରା ୧୨୫ ହେଉଛି ଏକ ଧର୍ମନିରପେକ୍ଷ ବ୍ୟବସ୍ଥା, ଯାହା ମୁସଲମାନ ମହିଳାଙ୍କ ଉପରେ ମଧ୍ୟ ଲାଗୁ ହୋଇଥାଏ । ଅବଶ୍ୟ, ଏହାକୁ ‘ମୁସଲିମ ମହିଳା (ଛାଡ଼ପତ୍ରରେ ଅଧିକାରର ସଂରକ୍ଷଣ) ଅଧିନିୟମ ୧୯୮୬’ ଜରିଆରେ ରଦ୍ଦ କରି ଦିଆଯାଇଥିଲା । ଏହାପରେ ୨୦୦୧ରେ ଆଇନର ବୈଧତାକୁ ବଜାୟ ରଖାଯାଇଥିଲା । ସିଆର୍ପିସିର ଧାରା ୧୨୫ ପତ୍ନୀ, ପିଲା ଏବଂ ମାତାପିତାଙ୍କୁ ଭରଣପୋଷଣ ଦେବାର ବ୍ୟବସ୍ଥା କରିଥାଏ ।