ଛାରଖାର ମିଆଁମାର: ମୃତ୍ୟୁ ସଂଖ୍ୟା ୧୬୪୪କୁ ବୃଦ୍ଧି, ଧ୍ବଂସ ସ୍ତୁପ ତଳୁ ଚାଲିଛି ଜୀବନ ଖୋଜା

ପ୍ରଳୟଙ୍କରୀ ଭୂକମ୍ପରେ ଛାରଖାର ମିଆଁମାର । ଧ୍ବଂସ ସ୍ତୁପ ତଳୁ ଚାଲିଛି ଜୀବନ ଖୋଜା । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଭୟାବହ ଭୂକଂପରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୧୬୪୪ରେ ପହଞ୍ଚିଥିବା ବେଳେ ୩ ହଜାର ୮୦୪ ଜଣ ଗୁରୁତର ହୋଇଛନ୍ତି । ଏବେବି ୧୩୯ ଜଣ ନିଖୋଜ ଅଛନ୍ତି । ଭୂମିକମ୍ପରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ନାପିଡୋ ଓ ମଣ୍ଡାଲୟ । ମିଆଁମାରର ଦ୍ବିତୀୟ ବୃହତ ସହର ନାପିଡୋ । US ଜିଓଲୋଜିକାଲ ସର୍ଭେର ଆକଳନ ଅନୁସାରେ ମୃତ୍ୟୁସଂଖ୍ୟା ୧୦ ହଜାର ଟପିପାରେ ।
ଗତକାଲି ପୁଣି ମିଆଁମାରରେ ୫ ଦଶମିକ ୧ ତୀବ୍ରତାର ଭୂକମ୍ପରେ ଲୋକଙ୍କ ମଧ୍ୟରେ ଛନକା ପଶିଛି । ଅନ୍ୟପଟେ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ୩୦ ମହଲା ବିଶିଷ୍ଟ ବିଲଡିଂ ଭୁଶୁଡ଼ି ପଡ଼ିଥିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ଏବେବି ରେସ୍କ୍ୟୁ ଅପରେସନ୍ ଜାରି ରହିଛି । ଦୀର୍ଘ ୪ ବର୍ଷର ଗୃହଯୁଦ୍ଧ, ଉତ୍କଟ ଖାଦ୍ୟ ସଙ୍କଟ ଓ ଆର୍ଥିକ ସ୍ଥିତିରେ ଦୁର୍ବଳ ହୋଇ ପଡ଼ିଥିବା ମିଆଁମାର୍ ର ଦୁଃଖ ଏବେ ଭୂକମ୍ପ ପରେ ଦୁଇ ଗୁଣିତ ହୋଇଯାଇଛି। ଭୂକମ୍ପ ଯୋଗୁ ବିଜୁଳି ଓ ପାଣି ସଙ୍କଟ ବଢ଼ି ଯାଇଛି । ଏହାକୁ ଦୃଷ୍ଟିରେ ରଖି ଏବ ବିରଳ ଘଟଣାକ୍ରମରେ ମିଆଁମାର ସାମରିକ ମୁଖ୍ୟ ମିନ୍ ଅଙ୍ଗ ହାଇଙ୍ଗ ପୂରା ବିଶ୍ୱକୁ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ।
ଆହୁରି ପଢ଼ନ୍ତୁ : ମିଆଁମାରରେ ପୁଣି ଭୂକମ୍ପ ଝଟକା, ୫.୧ ତୀବ୍ରତାରେ ଥରିଲା