ମିଆଁମାର ଭୂକମ୍ପ : ମୃତ୍ୟୁ ସଂଖ୍ୟା ୧୭୦୦ କୁ ବୃଦ୍ଧି, ୩୪୦୦ ନିଖୋଜ

ମିଆଁମାର ଭୂକମ୍ପ ସମଗ୍ର ବିଶ୍ବକୁ ଥରାଇ ଦେଇଛି । ଆଖି ପିଛୁଳାକେ ସବୁକିଛି ନଷ୍ଟ ହୋଇଯାଇଛି । ମିଆଁମାର ମୃତ୍ୟୁ ସଂଖ୍ୟା ୧୭୦୦ ଟପିଛି । ଧ୍ୱଂସାବଶେଷ ତଳୁ ଜୀବନ ସନ୍ଧାନ କରୁଛନ୍ତି ଉଦ୍ଧାରକାରୀ । ବିଭିନ୍ନ ଦେଶରୁ ଆସି ପହଞ୍ଚୁଥିବା ରେସକ୍ୟୁ ଟିମ୍ ଉଦ୍ଧାରକାର୍ଯ୍ୟରେ ଲାଗିଛନ୍ତି । ପାଖାପାଖି ୪,୦୦୦ ଆହତଙ୍କୁ ଉଦ୍ଧାର କରାଯାଇଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି ।
ଉଦ୍ଧାର କାମରେ ପ୍ରମୁଖ ବାଧକ ସାଜିଛି ବାରମ୍ବାର ଭୂକମ୍ପ ଝଟକା । ଅନ୍ୟପଟେ ଭୟାବହ ଭୂମିକମ୍ପରୁ ବର୍ତ୍ତି ଯାଇଥିବା ଲୋକଙ୍କ ପାଇଁ ସମସ୍ୟା ପାଲଟିଛି ଆଶ୍ରୟ ସ୍ଥଳ, ଖାଦ୍ୟ ଓ ପାନୀୟ । ଏଥିପାଇଁ ବାଧକ ସାଜିଛି ଗମନାଗମନ ଓ ଯୋଗାଯୋଗ ସମସ୍ୟା । ଭୂମିକମ୍ପ ଯୋଗୁଁ ପାଣି ପାଇପ ଫାଟି ଯାଇଥିବା ବେଳେ ଇଣ୍ଟରନେଟ ଓ ଟେଲିଫୋନ ସେବା ମଧ୍ୟ ବ୍ୟାହତ ହୋଇଛି ।
ଉଦ୍ଧାର ହେଉଥିବା ଲୋକଙ୍କୁ ଡାକ୍ତରଖାନା, ମେଡିସିନ ଭଳି ସୁବିଧା ମିଳି ପାରୁନାହିଁ । ମିଆଁମାରର ସ୍ୱାସ୍ଥ୍ୟ ଭିତ୍ତିଭୂମି ଭୂମିକମ୍ପ ଯୋଗୁଁ ଭୁଶୁଡ଼ି ପଡିଥିବାରୁ ଆହତମାନଙ୍କୁ ଡାକ୍ତରୀ ସୁବିଧା ପ୍ରଦାନରେ ସମସ୍ୟା ହେଉଛି । ମିଆଁମାରରେ ଉଦ୍ଧାର କାର୍ଯ୍ୟ ପାଇଁ ଭାରତ ସରକାର ଖାଦ୍ୟ ସାମଗ୍ରୀ ସହ ରେସକ୍ୟୁ ଟିମ ପଠାଇଛନ୍ତି ।
ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ଶୁକ୍ରବାର ଦିନ ୭.୭ ତୀବ୍ରତାର ଭୂ-କମ୍ପ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଅନେକ ଲୋକ ଧ୍ବଂସ ସ୍ତୁପ ତଳେ ଚାପି ହୋଇ ରହିଛନ୍ତି । ଅନେକ ପୋଲ ଭାଙ୍ଗି ଯାଇଛି । ରାସ୍ତା ଫାଟି ଯାଇଛି । ବହୁ ବଡ଼ ବଡ଼ ଡ୍ୟାମ କ୍ଷତିଗ୍ରସ୍ତ ହୋଇଛି । ଭୂକମ୍ପ ପରେ ମିଆଁମାରରେ ରାଷ୍ଟ୍ରୀୟ ବିପତ୍ତି ଘୋଷଣା କରାଯାଇଛି । ଭୂମିକମ୍ପରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ନାପିଡୋ ଓ ମଣ୍ଡାଲୟ । ମିଆଁମ୍ୟାରର ଦ୍ବିତୀୟ ବୃହତ ସହର ନାପିଡୋ ।
ଅପରେସନ ବ୍ରହ୍ମାରେ ମିଆଁମାରକୁ ରିଲିଫ ପଠାଇଛି ଭାରତ। ମିଆଁମାରକୁ ଭାରତୀୟ ବାୟୁସେନାର C 130 ବିମାନ ମ୍ୟାମାରର ଦ୍ବିତୀୟ ବୃହତ ସହର ନାପିଡୋରେ ପହଞ୍ଚିଛି । ଉଦ୍ଧାର କାର୍ଯ୍ୟ ପାଇଁ ସନ୍ଧାନୀ କୁକୁର ସହ NDRF ଟିମ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛି । ସେହିପରି ଭାରତ ଅପରେସନ ବ୍ରହ୍ମା ଅନ୍ତର୍ଗତ ଏକ ସ୍ପେଶାଲ ମେଡିକାଲ ଟାସ୍କ ଫୋର୍ସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରିଛି । ଲେଫ୍ଟନାଣ୍ଟ କର୍ଣ୍ଣେଲ ଜଗନିତ ଗିଲଙ୍କ ନେତୃତ୍ବରେ ୧୧୮ ସଦସ୍ୟ ବିଶିଷ୍ଟ ମେଡିକାଲ ଟିମ ମିଆଁମାର ଗସ୍ତ କରିଛି । ଏହି ଅପରେସନରେ ଭାରତୀୟ ସେନା ଆହତ ଲୋକଙ୍କୁ ତତ୍କାଳ ଚିକିତ୍ସା ଦେବା ପାଇଁ ୬୦ ଶଯ୍ୟା ବିଶିଷ୍ଟ ମେଡିକାଲ୍ ଟ୍ରିଟମେଣ୍ଟ ସେଣ୍ଟର ସ୍ଥାପନ କରିବେ । ଏହି କେନ୍ଦ୍ର ସ୍ଥାନୀୟ ସ୍ଵାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ କରିବାରେ ବିଶେଷ ସହାୟକ ହେବ ।
Also Read : ମିଆଁମାରରେ ସ୍ଥିତି ସଂଗୀନ: ୧୧୮ ଜଣିଆ ମେଡିକାଲ୍ ଟିମ ସହ ଭାରତର ‘ଅପରେସନ ବ୍ରହ୍ମା’ ଆରମ୍ଭ