ମାଲବାହୀ ସହ ବାଗମତି ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣା ଘଟଣା : ବଗିରେ ଲାଗିଗଲା ନିଆଁ, ୧୯ ଆହତ

ନୂଆଦିଲ୍ଲୀ : ତାମିଲନାଡ଼ୁରେ ଶୁକ୍ରବାର ରାତିରେ ବଡ଼ ଧରଣର ରେଳ ଦୁର୍ଘଟଣା ଘଟିଛି । ତାମିଲନାଡୁର ତିରୁଭାଲୁରରେ ବାଗମତି ଏକ୍ସପ୍ରେସର ୧୨ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା । ଏହି ଦୁର୍ଘଟଣାରେ ୧୯ ଜଣ ଆହତ ହୋଇଛନ୍ତି । ମାଲଗାଡ଼ି ସହ ଧକ୍କା ପରେ ମହୀଶୂର-ଦରଭଙ୍ଗା ବାଗମତି ଏକ୍ସପ୍ରେସର ୧୨ଟି ବଗି ଲାଇନରୁ ଖସିପଡ଼ିଥିଲା । ଫଳରେ ୨ଟି ବଗିରେ ନିଆଁ ଲାଗି ଯାଇଥିଲା । ଦୁର୍ଘଟଣାରେ ଆହତ ୧୯ ଜଣଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ରେଳ ଲାଇନରେ ମରାମତି କାର୍ଯ୍ୟ ଚାଲିଛି ।

ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୮ଟା ୩୦ରେ ଚେନ୍ନାଇର କଭାରଇପେଟ୍ଟାଇଠାରେ ଛିଡ଼ା ହୋଇଥିବା ଏକ ମାଲଗାଡ଼ିକୁ ମହୀଶୂର-ଦରଭଙ୍ଗା ବାଗମତି ଏକ୍ସପ୍ରେସ ଟ୍ରେନ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ରେଲୱେ ଅଧିକାରୀ, ରେସକ୍ୟୁ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ।  ଆମ୍ବୁଲାନସ ଯୋଗେ ଆହତମାନଙ୍କ ମେଡିକାଲ ପଠାଯାଇଥିଲା ।

ରେଲବାଇର ସୂଚନା ମୁତାବକ, ମହୀଶୂର-ଦରଭଙ୍ଗା ଏକ୍ସପ୍ରେସ ଟ୍ରେନ କଭାରଇପେଟ୍ଟାଇ ଷ୍ଟେସନ ଭିତରକୁ ପଶିବା ପୂର୍ବରୁ ଟ୍ରେନରେ ବଡ଼ ଧରଣର ଜର୍କ ଅନୁଭୂତ ହୋଇଥିଲା ।  ଏକ୍ସପ୍ରେସ ଟ୍ରେନ ମୁଖ୍ୟ ଲାଇନରେ ଯିବା ପାଇଁ ସିଗନାଲ ମିଳିଥିଲା । ହେଲେ ଏହା ମୁଖ୍ୟ ଲାଇନରେ ଯିବା ପରିବର୍ତ୍ତେ ଲୁପ ଲାଇନକୁ ଯାଇ ଛିଡ଼ା ହୋଇଥିବା ମାଲଗାଡ଼ିକୁ ଧକ୍କା ଦେଇଥିଲା ।  ଏହି ସମୟରେ ଟ୍ରେନର ଘଣ୍ଟା ପ୍ରତି ବେଗ ୭୫ କିଲୋମିଟର ଥିଲା ।  ବାଗମତୀ ଏକ୍ସପ୍ରେସ ଟ୍ରେନଟି ଗୁଡ୍ଡୁର ଯାଉଥିଲା । ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ନୂଆଦିଲ୍ଲୀ ରେଳ ଭବନରେ ସ୍ଥିତିର ମନିଟରିଂ କରିଥିଲେ । ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।  ଏହି ଦୁର୍ଘଟଣା ପରେ ଚେନ୍ନାଇ-ନୂଆଦିଲ୍ଲୀ ଏକ୍ସପ୍ରେସ ସମେତ ୭ଟି ଟ୍ରେନର ଗତି ପଥ ପରିବର୍ତ୍ତନ କରାଯାଇଥିଲା ।