‘ନାଗ ଏମକେ -୨’ ମିସାଇଲ୍‌ର ସଫଳ ପରୀକ୍ଷଣ: ଡିଆରଡିଓ, ଭାରତୀୟ ସେନାକୁ ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ

ଭାରତ କ୍ରମାଗତ ଭାବରେ ନିଜର ସୈନ୍ୟ ଶକ୍ତି ବୃଦ୍ଧି କରୁଛି । ଏହାରି ମଧ୍ୟରେ ଭାରତୀୟ ସେନା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତୃତୀୟ ଜେନେରେସେନ୍‌ର ଆଣ୍ଟି ଟ୍ୟାଙ୍କ ଫାୟର-ଏଣ୍ଡ୍‌-ଫରଗେଟ୍‌ ଗାଇଡେଡ୍‌ ମିସାଇଲ(ଏଟିଜିଏମ୍‌) ‘ନାଗ Mk-2’ ସଫଳତାର ସହ ପରୀକ୍ଷଣ କରିଛି । ଏହି ପରୀକ୍ଷା ସୋମବାର ରାଜସ୍ଥାନର ଜୈସଲମୈର ଜିଲ୍ଲାର ପୋଖରାନ୍‌ରେ ଫିଲ୍ଡ ଫାୟାରିଂ ରେଞ୍ଜରେ କରାଯାଇଛି ।

ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ପୋଖରାନ୍‌ରେ ଚାଲିଥିବା ପରୀକ୍ଷଣ ସମୟରେ ଫିଲ୍ଡ ଟ୍ରାଏଲ୍‌ରେ ଏହି ମିସାଇଲ୍‌ ସିଷ୍ଟମକୁ ମୋଟ୍‌ ତିନିଥର ପରୀକ୍ଷା କରାଯାଇଥିଲା । ଯେଉଁଥିରେ ଏହାର ସର୍ବାଧିକ ଏବଂ ସର୍ବନିମ୍ନ ରେଞ୍ଜ୍‌ରେ ଥିବା ଟାର୍ଗେଟକୁ ହିଟ କରିବାର ସାମର୍ଥ୍ୟକୁ ଚେକ କରାଯାଇଥିଲା । ତେବେ ଏହା ସମସ୍ତ ଲକ୍ଷ୍ୟକୁ ସଠିକ୍‌ ଭାବରେ ନଷ୍ଟ କରିଦେଇଥିବା ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହାସହିତ ନାଗ ମିସାଇଲ କ୍ୟାରିୟର ଭର୍ସନ-୨ର ମଧ୍ୟ ଫିଲ୍ଡ ପରୀକ୍ଷଣ କରାଯାଇଥିଲା । ବାସ୍ତବରେ, ପ୍ରତ୍ୟେକ ଥର ଏହି କ୍ଷେପଣାସ୍ତ୍ରରେ କିଛି ନୂତନ ଯୋଗ କରାଯାଇଥାଏ, ଯାହା ପରେ ଏହା ପରୀକ୍ଷା କରାଯାଇଥାଏ ।

ନାଗ MK-2 ର ବିଶେଷତ୍ୱ:

ନାଗ MK-2 ହେଉଛି ଭାରତୀୟ ସେନା ପାଇଁ ଏକ ଉନ୍ନତ ଆଣ୍ଟି-ଟ୍ୟାଙ୍କ୍‌ ଗାଇଡ୍‌ ମିସାଇଲ୍‌ ସିଷ୍ଟମ୍‌। ଏହା ଏକ ହାଲୁକା ମିସାଇଲ ଯାହା ସମସ୍ତ ପାଣିପାଗ ପରିସ୍ଥିତିରେ କାମ କରିବାକୁ ସକ୍ଷମ ହେବ। ଏହାର ଓଜନ ପ୍ରାୟ ୪୫ କିଲୋ ହୋଇଥିବାବେଳେ ଏହାର ଉଚ୍ଚତା ୬ ଫୁଟ ୧ ଇଞ୍ଚ ରହିଛି । ଏହି ମିସାଇଲ ପ୍ରତି ସେକେଣ୍ଡରେ ୨୩୦ ମିଟର ବେଗରେ ଏହାର ଲକ୍ଷ୍ୟକୁ ଆକ୍ରମଣ ଯେଉଁଥିରୁ ରକ୍ଷା ପାଇବା ଅତ୍ୟନ୍ତ କଷ୍ଟକର । ଏହା ନାଗ ମିସାଇଲ୍‌ ଇଣ୍ଟିଗ୍ରେଟେଡ଼ ଗାଇଡ୍‌ ମିସାଇଲ୍‌ ଡେଭଲପମେଣ୍ଟ ପ୍ରୋଗ୍ରାମ (IGMDP) ଅଧୀନରେ ଡିଆରଡିଓ (DRDO) ଦ୍ୱାରା ବିକଶିତ ହୋଇଛି ।

ତେବେ ଏହି କ୍ଷେପଣାସ୍ତ୍ର ଏବେ ସମ୍ପୂର୍ଣ୍ଣ ରୁପେ ଭାରତୀୟ ସେନାରେ ସାମିଲ ହେବା ପାଇଁ ପ୍ରସ୍ତୁତ ବୋଲି ଡିଆରଡିଓ ମୁଖ୍ୟ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓର ସମସ୍ତ ବୈଜ୍ଞାନିକ, ଭାରତୀୟ ସେନା ଏବଂ ଶିଳ୍ପ ସହଭାଗୀମାନଙ୍କୁ ନାଗ ଏମକେ -୨ ର ସଫଳ କ୍ଷେତ୍ର ପରୀକ୍ଷଣ ପାଇଁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

 

You might also like