ଉତ୍ତରପ୍ରଦେଶ ହାପୁରରେ ନାଗିନର ପ୍ରତିଶୋଧ! ଖୋଜି ଖୋଜି ମାରୁଛି ଚୋଟ, ୩ ମୃତ

ପ୍ରତିଶୋଧ ନେଉଛି ନାଗିନ୍‌ । ଗାଁରେ ଲୋକଙ୍କୁ ଖୋଜି ଖୋଜି ମାରୁଛି ଚୋଟ । ଏ କୌଣସି ଫିଲ୍ମ ଟିଭିର କାହାଣୀ ନୁହେଁ ଏହା ସମ୍ପୂର୍ଣ୍ଣ ସତ ଘଟଣା । ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଉଛି । ଫିଲ୍ମ ଏବଂ ଟିଭି ଷ୍ଟାଇଲରେ ଦେଖୁଥିବା ଦୃଶ୍ୟ ଏବେ ଘଟୁଛି ବାସ୍ତବରେ । ଏହି ନାଗିନ୍‌ ଜଣେ କି ଦୁଇ ଜଣଙ୍କୁ ନୁହେଁ ଗୋଟେ ଗୋଟେ କରି ୫ ଜଣଙ୍କୁ ଦଂଶନ କରିସାରିଲାଣି । ଉତ୍ତରପ୍ରଦେଶ ହାପୁର ଜିଲ୍ଲାରେ ଅବସ୍ଥିତ ସଦରପୁର ଗାଁର ନାଗିନର ପ୍ରତିଶୋଧ ଖବର ଏବେ ସାମ୍ନାକୁ ଆସିଛି । ଯେଉଁଥିପାଇଁ ଏବେ ଗ୍ରାମବାସୀ ବହୁତ ଭୟଭୀତ ଅବସ୍ଥାରେ ଅଛନ୍ତି କାରଣ ଏହି ଗାଁରେ ଏକ ବିଷାକ୍ତ ନାଗିନ୍ ର ଉପସ୍ଥିତି ରହିଛି ବୋଲି କୁହାଯାଏ ।

କୁହାଯାଉଛି ଯେ ସନ୍ଧ୍ୟା ହେବା ମାତ୍ରେ ସର୍ପ ନିଜ ଗାତରୁ ବାହାରି ଗ୍ରାମବାସୀଙ୍କୁ ଶିକାର କରିଥାଏ । ଗତ କିଛି ଦିନ ତଳେ ଏହି ସାପ ୫ ଜଣଙ୍କୁ କାମୁଡ଼ି ଦେଇଛି, ସେଥିମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଯେଉଁଠାରେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସଦରପୁର ଗାଁର ଲୋକଙ୍କ କହିବାନୁସାରେ, ସେହି ଅଞ୍ଚଳରେ ଏକ ନାଗିନ ନିଜର ପ୍ରତିଶୋଧ ନେଉଛି । ନିକଟରେ ଏହି ସାପ ଗୋଟିଏ ଘରେ ସୋଇଥିବା ମାଆ, ପୁଅ ଏବଂ ଝିଅକୁ କାମୁଡ଼ି ଦେଇଥିଲା, ଯେଉଁଥିପାଇଁ ସେହି ସମୟରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଗ୍ରାମବାସୀ ଏହି ୩ ଜଣଙ୍କ ମୃତ୍ୟୁକୁ ଭୁଲି ପାରି ନଥିଲେ କିନ୍ତୁ ଠିକ ଏହାର କିଛି ଦିନ ପରେ ଏହି ସାପ ଆଉ ଜଣେ ଯୁବକ ଏବଂ ଗାଁର ଜଣେ ମହିଳାଙ୍କୁ କାମୁଡ଼ିଥିଲା । ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଏହି ଉଭୟଙ୍କ ଜୀବନ ରକ୍ଷା କରାଯାଇଥିଲା । ସେହିଭଳି ଆଉ ଜଣେ ଯୁବକ ଏବେ ନିଜ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ନାଗିନର ପ୍ରତିଶୋଧର ଭୟ ଏବେ ହାପୁରର ସଦରପୁର ଗାଁ ଲୋକଙ୍କର ନିଦ ହଜାଇଦେଇଛି । ବର୍ତ୍ତମାନ ସାପକୁ ଧରିବା ପାଇଁ ବନ ବିଭାଗର ଟିମ୍ ନିୟୋଜିତ ହୋଇଛନ୍ତି ।

ଏହି ସମୟରେ ବନ ବିଭାଗ ଟିମ୍ ସାପକୁ ଧରିନେଇଥିବାର ଦାବି କରାଯାଉଛି । ତେବେ ଏହି ସାପ କେଉଁ ପ୍ରଜାତିର, ଏହା କେତେ ବିଷାକ୍ତ ଏବଂ କେତେ ବର୍ଷ ପୁରୁଣା ତାହା ଅନୁସନ୍ଧାନ ଚାଲିଛି । ଏବେ ପର୍ଯ୍ୟନ୍ତ ବନ ବିଭାଗ ଏହାକୁ ନାଗିନ ବୋଲି ନିଶ୍ଚିତ କରିନାହିଁ କିନ୍ତୁ ଗ୍ରାମବାସୀମାନେ ଏହି ସାପକୁ ନାଗିନ ବୋଲି କହୁଛନ୍ତି । ଅନ୍ୟପକ୍ଷରେ ବନ ବିଭାଗର ଅଧିକାରୀ କହିଛନ୍ତି ଯେ ସାପକୁ ଧରିବା ପାଇଁ ବନ ବିଭାଗର ପାଞ୍ଚଟି ଟିମ୍ ଗାଁରେ ଉପସ୍ଥିତ ଅଛନ୍ତି । କିନ୍ତୁ ଏସବୁ ମଧ୍ୟରେ ବୁଧବାର ଦିନ ଗାଁରେ ଅନ୍ୟ ଜଣେ ମହିଳାଙ୍କୁ ସାପ କାମୁଡ଼ିବା ଖବର ଗ୍ରାମବାସୀଙ୍କୁ ଚକିତ କରିଛି ।

ମହିଳାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେଣୁ ଗ୍ରାମବାସୀଙ୍କ ମଧ୍ୟରେ ସାପର ଭୟ ଏବେ ବି ଜାରି ରହିଛି । ଲୋକମାନେ ଭୟରେ କହୁଛନ୍ତି ଏକ ନିର୍ଦ୍ଧିଷ୍ଟ ନାଗିନ୍‌ ସେମାନଙ୍କ ଗାଁକୁ ଟାର୍ଗେଟ କରି ଏପରି କରୁଛି । ତେବେ ଏହି ଘଟଣା ଜାଣିବା ପରେ ଲାଗୁଛି ଯଦି ଆମକୁ ଫିଲ୍ମ ଏବଂ ଟିଭିରେ ଏହି ଦୃଶ୍ୟ ଦେଖି ଏତେ ଭୟ ଲାଗୁଛି ତାହେଲେ ବାସ୍ତବ ଜୀବନରେ ଏହା କେତେ ଭୟଙ୍କର ହୋଇଥିବ ।