ସିକ୍କିମ୍‌: ନାଇରବି ମାଛିଙ୍କଠାରୁ ୧୦୦ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ବ୍ୟାପିଲା ଭୟଙ୍କର ସଂକ୍ରମଣ; କରାଇବାକୁ ପଡ଼ିଲା ସର୍ଜରୀ

ପୂର୍ବ ସିକ୍କିମ୍‌ର ଏକ ଇଞ୍ଜିନିୟରିଂ କଲେଜରେ ଭୟଙ୍କର ସଂକ୍ରମଣ ବ୍ୟାପିବା ଖବର ସାମ୍ନାକୁ ଆସିଛି। ଏଠାରେ ନାଇରବି ମାଛି ସଂସ୍ପର୍ଶରେ ଆସି ପାଖାପାଖି ୧୦୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କଠାରେ ଗୁରୁତର ସ୍କିନ୍‌ ଆଲର୍ଜି ଦେଖାଦେଇଛି। ଏ ନେଇ Sikkim Manipal Institute of Technology (SMIT)ର ଅଧିକାରୀମାନେ ସୂଚନା ଦେଇ କହିଛନ୍ତି ଯେ ମୂଳତଃ ପୂର୍ବ ଆଫ୍ରିକାରେ ଦେଖାଯାଉଥିବା ଏହି ପ୍ରଜାତିର ମାଛି କଲେଜ ପରିସରରେ ଦ୍ରୁତ ଗତିରେ ବଂଶ ବିସ୍ତାର କରିବାରେ ଲାଗିଛନ୍ତି।

ନାଇରବି ମାଛିଙ୍କଠାରୁ ବ୍ୟାପିଥିବା ଏହି ସଂକ୍ରମଣ ବହୁତ ଗମ୍ଭୀର ପ୍ରଭାବ ପକାଇଛି। ଏମାନଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ମଣିଷର ଚର୍ମରେ ଆଲର୍ଜି ଦେଖାଦେଉଛି। ଅଧିକାରୀମାନଙ୍କ ସୂଚନା ମୁତାବକ, ନିକଟରେ ମାଛି ଦ୍ୱାରା ସଂକ୍ରମିତ ହୋଇଥିବା ଜଣେ ଛାତ୍ରଙ୍କ ହାତକୁ ସର୍ଜରୀ କରାଇବାକୁ ପଡ଼ିଥିଲା।

ସେପଟେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କ କହିବା ହେଲା, ଏହା ନାଇରବି ମାଛିଙ୍କ ଦେଶ ନୁହେଁ, କିନ୍ତୁ ପ୍ରଜନନ ଅନୁକୂଳ ପରିବେଶ ଏବଂ ପର୍ଯ୍ୟାପ୍ତ ଖାଦ୍ୟ ସନ୍ଧାନରେ ଏମାନେ ନୂଆ ଅଞ୍ଚଳକୁ ଆସି ଯାଉଛନ୍ତି। ଏହି ପ୍ରଜାତିର ମାଛିମାନେ ସାଧାରଣତଃ ଫସଲଗୁଡ଼ିକୁ ନଷ୍ଟ କରି ଦିଅନ୍ତି ଏବଂ ଛୋଟ ଛୋଟ କୀଟଙ୍କୁ ଖାଇ ଯାଆନ୍ତି।

କଲେଜ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ବର୍ତ୍ତମାନ ସଂକ୍ରମିତ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଚାଲିଛି। ସେମାନେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। କଲେଜ ପରିସରରେ କୀଟନାଶକ ସିଞ୍ଚନ କାର୍ଯ୍ୟ ଚାଲିଛି ଏବଂ ଛାତ୍ରଛାତ୍ରୀଙ୍କୁ ନିଜର ସୁରକ୍ଷା ପାଇଁ କ’ଣ କରିବା ଉଚିତ୍‌ ଓ କ’ଣ କରିବା ଅନୁଚିତ୍‌, ସେ ବିଷୟରେ ସଚେତନ କରାଯାଉଛି।

ଅଧିକାରୀମାନେ ଆହୁରି କହିଥିଲେ ଯେ ଏହି ମାଛି କାମୁଡ଼ନ୍ତି ନାହିଁ। କିନ୍ତୁ ଚର୍ମ ଉପରେ ବସିବା ସମୟରେ ଏକ ପ୍ରକାରର ଅମ୍ଳୀୟ ପଦାର୍ଥ ଛାଡ଼ି ଦିଅନ୍ତି, ଯଦ୍ଦ୍ଵାରା ସ୍କିନ୍‌ରେ ଜ୍ୱଳନ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.