୮୩ ହାତୀ, ୩୦୦ ଜେବ୍ରା ସମେତ ୭୦୦ ଜଙ୍ଗଲି ପ୍ରାଣୀଙ୍କୁ ମାରି ଲୋକଙ୍କୁ ବାଣ୍ଟିବେ ସରକାର, ଜାଣନ୍ତୁ କାହିଁକି ହେଲା ନାମ୍ବିଆର ଏଭଳି ଅବସ୍ଥା

ଭୋକିଲାଙ୍କୁ ଦିଆଯିବ ହାତୀ ମାଂସ । ମରାଯିବ ୮୩ ହାତୀ । କେବଳ ହାତୀ ନୁହଁ, ୭୨୩ ଜଙ୍ଗଲି ଜୀବ ମାରିବାକୁ ନିଷ୍ପତ୍ତି ନେଇଛି ନାମ୍ବିଆ । ନାମ୍ବିଆରେ ପଡ଼ିଛି ଭୟଙ୍କର ମରୁଡିି । ଅଧାରୁ ଅଧିକ ଅଞ୍ଚଳ ପ୍ରଭାବିତ । ଖାଇବାକୁ ପାଉ ନାହାନ୍ତି ଦେଶର ପାଖାପାଖି ୧୪ ଲକ୍ଷ ଲୋକ । ଭୋକର ସମସ୍ୟା ଦୂର କରିବାକୁ ହାତୀ, ଜେବ୍ରା ଆଦି ପଶୁଙ୍କୁ ମରାଯିବ ।

ନାମ୍ବିଆ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ କହିଛି, ଦେଶର ଜଙ୍ଗଲି ପ୍ରାଣୀ ଏବଂ ପ୍ରାକୃତିକ ସମ୍ପଦ ନାମ୍ବିଆ ନାଗରିକଙ୍କ ପାଇଁ ବ୍ୟବହାର ହେବ । ଆଫ୍ରିକାରେ ଥିବା ଜାତିସଂଘ ପରିବେଶ କାର୍ଯ୍ୟକ୍ରମ କାର୍ଯ୍ୟାଳୟ ତରଫରୁ କୁହାଯାଇଛି ଯେ ନିରନ୍ତର ସୁସ୍ଥ ଜଙ୍ଗଲି ଜୀବ ସଂଖ୍ୟା ବୃଦ୍ଧି କରି ଖାଦ୍ୟ ପାଇଁ ବ୍ୟବହାର କରାଯାଇ ପାରିବ ।

ଦକ୍ଷିଣ ଆଫ୍ରିକୀୟ ଦେଶଗୁଡ଼ିକ ମରୁଡି ଯୋଗୁ ଗଭୀର ସଙ୍କଟ ଦେଇ ଗତି କରୁଛନ୍ତି । ୨୦୧୮ରୁ ଲଗାତାର ମରୁଡି ପଡୁଛି । ଚଳିତ ବର୍ଷ ଉତ୍କଟ ମରୁଡିର କାରଣ ଏଲ୍‌ ନିନୋ ବୋଲି କୁହାଯାଉଛି । ପ୍ରଭାବିତ ହୋଇଛନ୍ତି ୩ କୋଟିରୁ ଅଧିକ ଲୋକ । ନା ଲୋକଙ୍କୁ ଖାଇବାକୁ ମିଳୁଛି ନା ପଶୁପକ୍ଷୀ ଖାଇବାକୁ ପାଉଛନ୍ତି ।

ନାମ୍ବିଆରେ ପ୍ରମୁଖ ଖାଦ୍ୟଶସ୍ୟ ସବୁ ନଷ୍ଟ ହୋଇସାରିଛି । ଗୃହପାଳିତ ପଶୁପକ୍ଷୀ ମରି ସାରିଲେଣି । ପରିସ୍ଥିତି ଏପରି ହୋଇଛି ଯେ ଖାଦ୍ୟ ଓ ପାଣି ପାଇବାକୁ ମଣିଷ-ପଶୁ ମୁହାଁମୁହିଁ ସ୍ଥିତି ଉପୁଜିଛି । ଏଭଳି ସ୍ଥିତିରେ ଲୋକେ ଏବେ ଜଙ୍ଗଲି ପଶୁପକ୍ଷୀ ମୁହାଁ ହୋଇଛନ୍ତି । ୮୩ ହାତୀ, ୩ ଶହ ଜେବ୍ରା, ୩୦ ଜଳହସ୍ତୀ ଏବଂ ବିଭିନ୍ନ ପ୍ରଜାତିର ହରିଣ ମାରିବାକୁ ନିଷ୍ପତ୍ତି ହୋଇଛି ।

ନାମ୍ବିଆ ନିଜର ୧୦୦ ବର୍ଷର ଇତିହାସରେ ବର୍ତ୍ତମାନ ସବୁଠୁ ଭୟଙ୍କର ମରୁଡିରେ ଜୁଝି ହେଉଛି । ଭୋକ, ଶୋଷରେ ଝଟପଟ ହେଉଛନ୍ତି ଲୋକେ । ଏଠାରେ ଗୁରୁତର ଖାଦ୍ୟ ସଙ୍କଟ ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ସରକାର ଜଙ୍ଗଲି ଜୀବମାନଙ୍କୁ ମାରି ଲୋକଙ୍କ ମଧ୍ୟରେ ବାଣ୍ଟିବାକୁ ନିଷ୍ପତ୍ତି ନେଇଛନ୍ତି ।

You might also like
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।