ଆମ ଦେଶ ବିଶ୍ୱକୁ ଯୁଦ୍ଧ ନୁହଁ ବୁଦ୍ଧ ଦେଇଛି, ବିଶ୍ୱକୁ ଶାନ୍ତିର ସନ୍ଦେଶ ଦେଇଛି : ମୋଦି
କେନ୍ୟୁଜ୍( ବ୍ୟୁରୋ): ଆମ ଦେଶ ବିଶ୍ୱକୁ ଯୁଦ୍ଧ ନୁହଁ ବୁଦ୍ଧ ଦେଇଛି, ବିଶ୍ୱକୁ ଶାନ୍ତିର ସନ୍ଦେଶ ଦେଇଛି । ତେଣୁ ଆତଙ୍କବାଦ ବିରୋଧରେ ଦୁନିଆକୁ ସତର୍କ କରିବାରେ ଆମର ସ୍ୱରରେ ଗମ୍ଭୀରତା ରହିବା ସହ ଆକ୍ରୋଶ ମଧ୍ୟ ରହିଛି। ଆତଙ୍କବାଦ କେବଳ ଗୋଟିଏ ଦେଶ ପାଇଁ ଚ୍ୟାଲେଞ୍ଜ ନୁହଁ, ଏହା ସମଗ୍ର ମାନବଜାତି ପାଇଁ ଚ୍ୟାଲେଞ୍ଜ। ତେଣୁ ଏ ପ୍ରସଙ୍ଗରେ ସବୁ ଦେଶ ଏକଜୁଟ୍ ହେବା ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଜାତିସଂଘ ସାଧାରଣ ପରିଷଦ ବୈଠକରେ ଉଦ୍ବୋଧନ ଦେଇ, ଆତଙ୍କବାଦ କଥା ଉଠାଇଥିଲେ ମୋଦି। ପ୍ରଧାନମନ୍ତ୍ରୀ ୧୭ ମିନିଟ୍ ଭାଷଣରେ ମୋଦି ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ। ମୋଦି ମହାତ୍ମା ଗାନ୍ଧୀଙ୍କ ମଧ୍ୟ ସ୍ମୃିତ ଚାରଣ କରିଥିଲେ। କହିଥିଲେ, ଭାରତ ପାଇଁ ଚଳିତ ବର୍ଷ ଗୁରୁତ୍ୱପୂର୍ଣ୍ଣ, କାରଣ ମହାତ୍ମାଙ୍କ ୧୫୦ ତମ ଜୟନ୍ତୀ ପାଳନ କରୁଛି ଦେଶ। ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ମୋଦି। ଆୟୂଷ୍ମାନ ଭାରତ, ସ୍ୱଚ୍ଛତା ଅଭିଯାନ ଓ ଜନଧନ ଯୋଜନା ବିଷୟରେ କହିଥିଲେ ମୋଦି। କହିଥିଲେ, ଭାରତ ବଡ଼ ସ୍ୱଚ୍ଛତା ଅଭିଯାନ ଚଳାଇଛି । ଏହି ପଦକ୍ଷେପ ସମଗ୍ର ବିଶ୍ୱ ପାଇଁ ପ୍ରେରଣାଦାୟୀ। ଏହାସହ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ମୁକ୍ତ ଭାରତ ପାଇଁ ବଡ଼ ଅଭିଯାନ ଆରମ୍ଭ କରିଛି।